ପାକିସ୍ତାନ ସହ ମୁକାବିଲା ଆମ ପାଇଁ ଏକ ସାଧାରଣ ମ୍ୟାଚ୍ ଭଳି : ରୋହିତ ଶର୍ମା
ଦୁବାଇ : ଆଉ କେଇ ମିନିଟ୍ ପରେ ଆରମ୍ଭ ହେବ ଏସିଆ କପର ହାଇ ଭୋଲ୍ଟେଜ ମ୍ୟାଚ । ଏଥିରେ ମୁହାଁମୁହିଁ ହେବେ ଚିରାଚରିତ ପ୍ରତିଦ୍ବନ୍ଦି ଭାରତ-ପାକିସ୍ତାନ । ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ଦଳ ଗତ ବର୍ଷ ଟି-୨୦ ବିଶ୍ଵ କପ୍ ପରେ ପ୍ରଥମ ଥର ପରସ୍ପରର ମୁକାବିଲା କରିବାକୁ ପ୍ରସ୍ତୁତ। ଆଉ କେଇ ମିନିଟ୍ ପରେ ଏସିଆ କପରେ ପାକିସ୍ତାନ ସହ ଲଢିବ ଭାରତ। ଗତ ଟି-୨୦ ବିଶ୍ଵ କପରେ ଲିଗ୍ ମୁକାବିଲାରେ ପାକିସ୍ତାନ ଭାରତକୁ ୧୦ ଓ୍ଵିକେଟ୍ରେ ହରାଇଥିଲା। ମାତ୍ର ଗତ ୧୦ ମାସରେ ବହୁତ ପରିବର୍ତ୍ତନ ଆସିଛି। ଭାରତୀୟ ଦଳର ନେତୃତ୍ଵ ଦାୟିତ୍ଵ ବର୍ତ୍ତମାନ ରୋହିତ ଶର୍ମାଙ୍କ ହାତରେ ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ପୂର୍ବରୁ ସାମାଜିକ ଗଣମାଧ୍ୟମ ଦୁଇ ଦଳ ପାଇଁ ଶୁଭକାମନାରେ ଭରି ଯାଇଛି।
ସେହିପରି ଏସିଆ କପରେ ଏହି ମ୍ୟାଚକୁ ଫାଇନାଲ ପୂର୍ବର ଫାଇନାଲ ବୋଲି କୁହାଯାଉଛି । ଏହି ମ୍ୟାଚକୁ ଦେଖିବାକୁ ସାରା ବିଶ୍ବର କ୍ରିକେଟପ୍ରେମୀମାନେ ଅନେଇ ବସିଛନ୍ତି । ତେବେ ଏହି ମହା-ମ୍ୟାଚ ସମ୍ପର୍କରେ ନିଜର ମତ ରଖିଛନ୍ତି ଭାରତ ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି ଯେ, ଏହାକୁ ସେ ଅନ୍ୟ ମ୍ୟାଚ୍ ପରି ଏକ ସାଧାରଣ ମ୍ୟାଚ ପରି ଦେଖୁଛନ୍ତି ଓ ଏହା ଉପରେ ଫୋକସ କରୁଛନ୍ତି । ଏହି ମ୍ୟାଚକୁ ନେଇ ଟିମର ସଦସ୍ୟମାନେ ଉତ୍ସାହିତ ଅଛନ୍ତି । ପୁରୁଣା ପରାଜୟକୁ ଭୁଲି ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି । ଅତୀତରେ କଣ ହେଲା ତାହା ସଂପର୍କରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆମକୁ ଆଗକୁ ବଢିବାକୁ ହେବ । ପାକିସ୍ତାନ ସହ ଖେଳିବା ସବୁବେଳେ ଏକ ଚ୍ୟାଲେଞ୍ଜ୍ ହୋଇଥାଏ, କିନ୍ତୁ ଆମକୁ ବିପକ୍ଷ ଟିମ କଥା ନ ଭାବି ମିଳିତଭାବେ ଆଗେଇବାକୁ ପଡ଼ିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମ୍ୟାଚରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ନୂଆ ନୂଆ କମ୍ବିନେସନର ପ୍ରୟୋଗ କରିବାକୁ ପଛେଇବ ନାହିଁ । ଗତ ୮-୧୦ ମାସରେ ଆମେ ପରୀକ୍ଷାନିରୀକ୍ଷା କରି ଅନେକ ଉତ୍ତର ପାଇଛୁ ।