ଏସିଆ କପ୍ର ୧୫ତମ ସଂସ୍କରଣ ଉଦଘାଟିତ : ଟସ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବା ଶ୍ରୀଲଙ୍କା
ଦୁବାଇ : ଏସିଆ କପ୍ର ୧୫ତମ ସଂସ୍କରଣ ଉଦଘାଟିତ । ୟୁଏଇରେ ଶନିବାରଠୁ ଆରମ୍ଭ ହେଲା ଉଦ୍ଘାଟନୀ ମ୍ୟାଚ। ଏଥିରେ ମୁହାଁମୁହିଁ ହେଲେ ଗ୍ରୁପ୍ ବି’ର ଶ୍ରୀଲଙ୍କା ଓ ଆଫଗାନିସ୍ତାନ । ଟସ ଜିତି ଆଫଗାନିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିବାରୁ ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା ।
ଏସିଆ କପ୍ ପୂର୍ବ ଦିନିକିଆ ପ୍ରଦର୍ଶନ ଆଧାରରେ ଶ୍ରୀଲଙ୍କା ଏକ ଶକ୍ତିଶାଳୀ ଦଳ । ଦଳ ମୋଟ୍ ୫ ଥର ଚାମ୍ପିଅନ ହେବାର ଗୌରବ ଲାଭ କରିଛି । କିନ୍ତୁ ୨୦୧୬ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଦଳର ପ୍ରଦର୍ଶନ ଏତେ ଭଲ ନଥିଲା । ଗୋଟିଏ ମ୍ୟାଚ୍ କେବଳ ୟୁଏଇ ନିକଟରୁ ବିଜୟୀ ହୋଇଥିଲା । ଏହି ସଂସ୍କରଣକୁ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିପାରି ନଥିଲା । ହେଲେ ୨୦୧୮ ଦିନିକିଆ ଫର୍ମାଟରେ ଆଫଗାନିସ୍ତାନ ଆକର୍ଷଣୀୟ ପ୍ରଦର୍ଶନ ସହ ଗ୍ରୁପ୍ ବି’ରେ ଟପ୍ପର ହୋଇଥିଲା । ଶ୍ରୀଲଙ୍କା ଗୋଟିଏ ବି ମ୍ୟାଚ୍ ଜିତି ପାରି ନଥିଲା । ଆଫଗାନିସ୍ତାନ ଠାରୁ ୯୧ ରନ୍ରେ ଏବଂ ବାଂଲାଦେଶ ଠାରୁ ୧୩୭ ରନ୍ରେ ପରାଜିତ ହୋଇଥିଲା । ସେହିପରି ଆଇସିସି ମାନ୍ୟତା ଅନୁସାରେ ଶ୍ରୀଲଙ୍କା ଏବେ ଅଷ୍ଟମ ସ୍ଥାନରେ ରହିଥିବାବେଳେ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛି । ରସିଦ ଖାନ ଶ୍ରୀଲଙ୍କା ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଗତ ଆଇପିଏଲର କିଛି ମ୍ୟାଚ୍ରେ ସେ ଯେଉଁଭଳି ଅଲ୍ ରାଉଣ୍ଡ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ ତାହା ଦର୍ଶକ ଏ ପର୍ଯ୍ୟନ୍ତ ଭୁଲି ନାହାନ୍ତି । ଦାସୁନ ଶଣକାଙ୍କ ନେତୃତ୍ୱରେ ଶ୍ରୀଲଙ୍କା କିନ୍ତୁ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି
ସୂଚନା ଯେ, ଏହି ସଂସ୍କରଣ ଶ୍ରୀଲଙ୍କାରେ ଆୟୋଜିତ ହେବାର ଥିଲା । କିନ୍ତୁ ଦେଶରେ ଅର୍ଥନୈତିକ ଅସ୍ଥିରତା ଲାଗି ରହିଥିବାରୁ ଶ୍ରୀଲଙ୍କା ବୋର୍ଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଅସମର୍ଥ ପ୍ରକାଶ କରିଥିଲା । ଶେଷରେ ୟୁଏଇକୁ ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର କରାଯାଇଥିଲା । ୨୦୧୮ ସଂସ୍କରଣ ମଧ୍ୟ ୟୁଏଇରେ ଖେଳାଯାଇଥିଲା । ଏଥର ଦୁବାଇ ଓ ସାରଜା ଦୁଇଟି ଭେନ୍ୟୁରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।