ଶ୍ରୀମନ୍ଦିର ସୁରକ୍ଷା ଲାଗି କଣ ପଦକ୍ଷେପ ନିଆଯାଇଛି, ଶୀଘ୍ର ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କରେ ଦାୟର ହୋଇଥିବା ଦୁଇଟି ଭିନ୍ନ ଭିନ୍ନ ମାମଲାର ଏକତ୍ର ଶୁଣାଣୀ କରିଛନ୍ତି ହାଇକୋର୍ଟ ।
ସୂଚନା ଅନୁଯାୟୀ ଶ୍ରୀମନ୍ଦିର ଜଗମୋହନ ସମେତ ଅନେକ ପାର୍ଶ୍ଵ ମନ୍ଦିର ଗୁଡ଼ିକର ମରାମତି ଆବଶ୍ୟକ ହେଉଥିବା ବେଳେ ଏସବୁର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯାଉନଥିବା ଅଭିଯୋଗ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ସେହିପରି କୋଣାର୍କ ମନ୍ଦିର ବର୍ଷା ଦିନେ ଜଳାର୍ଣବ ହେଉଥିବାରୁ ମନ୍ଦିର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଯାହାର ଶୁଣାଣି କରିଛନ୍ତି ମାନ୍ୟବର ହାଇକୋର୍ଟ । ଶ୍ରୀମନ୍ଦିର ସୁରକ୍ଷା ପାଇଁ କେଉଁ ପ୍ରକାରର ପଦକ୍ଷେପ ନିଆଯାଇଛି ? ଜଗମୋହନ ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟର ସ୍ଥିତି କଣ ଅଛି ? ମନ୍ଦିର ସୁରକ୍ଷାକୁ ନେଇ ଆଉ କଣ କରାଯାଇପାରିବ ? କ୍ଷେତ୍ର ପରିଦର୍ଶନ କରି ସେ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବା ପାଇଁ କୋର୍ଟମିତ୍ର ବା ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ବ୍ୟତୀତ କୋଣାର୍କ ମନ୍ଦିରର ବାସ୍ତବ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ଲାଗି ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।