କେନ୍ଦୁଝର ମେଡିକାଲ କଲେଜକୁ ଅନୁମତି, ଚଳିତବର୍ଷରୁ ୧୦୦ ସିଟରେ ନାମଲେଖା
କେନ୍ଦୁଝର : କେନ୍ଦୁଝରରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ଶିକ୍ଷା ବର୍ଷରୁ ନାମଲେଖା ନିମନ୍ତେ ନ୍ୟାସନାଲ ମେଡିକାଲ କମିଶନ ପକ୍ଷରୁ ଅନୁମତି ମିଳିଛି । ଅନୁମତି ଅନୁସାରେ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧୀନରେ କେନ୍ଦୁଝର ମେଡିକାଲ କଲେଜ ପରିଚାଳିତ ହେବ । ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲାରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଜିଲା ଖଣିଜ ପାଣ୍ଠିର ୪୦୦ କୋଟି ଅନୁଦାନରେ ଏହି କଲେଜର ନିର୍ମାଣ ହୋଇଛି ।
ତେବେ ଏନ୍ଏମ୍ସିରୁ ଅନୁମୋଦନପତ୍ର ଆସିବା ପରେ ହିଁ ପାଠପଢ଼ା ଆରମ୍ଭ ହେବ। ଏନ୍ଏମ୍ସି ପକ୍ଷରୁ କେନ୍ଦୁଝର ମେଡିକାଲ କଲେଜର ଭିତ୍ତିଭୂମି ସହିତ ଲାଇବ୍ରେରି, ହଷ୍ଟେଲ, ଅଧ୍ୟାପକଙ୍କ ନିଯୁକ୍ତି ଓ ସେମାନଙ୍କ ଅଭିଜ୍ଞତା, ରେସିଡେଣ୍ଟେ/ଟ୍ୟୁଟର, ନର୍ସିଂ ଓ କର୍ମଚାରୀ ସଂଖ୍ୟାର ଯାଞ୍ଚ କରାଯାଇଥିଲା। ପରବର୍ତୀ ସମୟରେ ଏମ୍ଏଆରବି ପକ୍ଷରୁ ଯେଉଁ ଯେଉଁ କ୍ଷେତ୍ରରେ ଅଭାବ ରହିଥିଲା ତାହାକୁ ପୂରଣ କରିବା ପାଇଁ କରିବାକୁ କୁହାଯାଇଥିଲା। ଏହାର ଅନୁଧ୍ୟାନ ପରେ ଏନ୍ଏମ୍ଆରବି ଏଲଓଆଇ ପ୍ରଦାନ କରିଛି। ତୁରନ୍ତ ମେଡିକାଲ କଲେଜ ପକ୍ଷରୁ ଅଧ୍ୟାପକ/ଅଣ-ଅଧ୍ୟାପକଙ୍କ ବିଲ୍ଡିଂ, ଯନ୍ତ୍ରପାତି ଓ ହସ୍ପିଟାଲ ସୁବିଧା ପୂରଣ କରିବା ଲାଗି କୁହାଯାଇଛି।
ସୂଚନା ଯେ, କେନ୍ଦୁଝର ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ଏହି ଜିଲାବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ନିମନ୍ତେ ବହୁ ହଇରାଣ ହେଉଛନ୍ତି। ମେଡ଼ିକାଲ କଲେଜରେ ପାଠପଢ଼ା ଆରମ୍ଭ ହେଲେ ଲୋକଙ୍କୁ ଏଠାରେ ପାଠପଢ଼ି ବାହାରିବାକୁ ଥିବା ଡାକ୍ତରଙ୍କ ନିକଟରୁ ଉତ୍ତମ ସେବା ମିଳିବ ବୋଲି ଆଶା ରହିଛି।