ବନ୍ୟା ମୁକାବିଲା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଜାରି ହେଲା ହେଲ୍ପ ଲାଇନ୍ ନମ୍ବର
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ବିଭିଷୀକା ଦେଖା ଦେଇଛି । ଫଳରେ ଏହାର ମୁକାବିଲା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ପ୍ରାଣୀଧନ, ମତ୍ସ୍ୟସମ୍ପଦର ସୁରକ୍ଷା, ତୁରନ୍ତ ଚିକିତ୍ସା ସୁବିଧା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଜିଲା ଓ ନିର୍ଦ୍ଦେଶାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗରେ ମଧ୍ୟ କଣ୍ଟ୍ରୋଲ ରୁମ୍କୁ କାର୍ଯ୍ୟକ୍ଷମ କରାଯାଇଛି । ଚାଷୀମାନେ ୦୬୭୪-୨୩୯୩୯୫୮ ନମ୍ବରରେ ଯୋଗାଯୋଗ କରିପାରିବେ । ଏହା ସହିତ ଯୁଗ୍ମ ସଚିବ ପାହ୍ୟାର ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ନୋଡାଲ ଅଧିକାରୀ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଓ କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ ସହିତ ନିୟମିତ ଯୋଗାଯୋଗ ରକ୍ଷା କରି ବିପର୍ଯ୍ୟୟ ସ୍ଥିତିର ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କୃଷି ବିଭାଗ ପକ୍ଷରୁ କୃଷି ଭବନରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯାଇଛି । ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ କଣ୍ଟ୍ରୋଲ ରୁମ୍ର ନୋଡାଲ ଅଧିକାରୀ ନିୟୋଜିତ କରାଯାଇଛି । କଣ୍ଟ୍ରୋଲ ରୁମ୍ରେ ପୂର୍ବରୁ ଦିଆଯାଇଥିବା ଫୋନ୍ ନମ୍ୱର ୦୬୭୪-୨୩୯୩୨୪୨ ପରିବର୍ତ୍ତେ ୦୬୭୪-୨୩୯୦୧୩୭ କାର୍ଯ୍ୟକ୍ଷମ ରହିଛି ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।