ଅବପାତ ରୂପ ନେଲା ଲଘୁଚାପ; ସନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଦୁଇ ଦିନ ରାଜ୍ୟ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଆଜି ସକାଳେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ । ସେହିପରି ଆସନ୍ତା ୬ଘଣ୍ଟା ଭିତରେ ଗଭୀର ଅବପାତ ରୂପ ନେବ । ସନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ ଗତି କରିବ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡିଶା ଦେଇ ଯିବ । ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଗତି କରି ଦୁର୍ବଳ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି ।
କେବଳ ଓଡିଶାରେ ନୁହେଁ ଛତିଶଗଡରେ ମଧ୍ୟ ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଛତିଶଗଡ ଉପରମୁଣ୍ଡରେ ରହିଛି । ତେଣୁ ପୁଣିଥରେ ତଳମୁଣ୍ଡରେ ଥିବା ଓଡିଶାକୁ ପାଣି ଆସିଲେ ନଦୀରେ ଜଳସ୍ତର ବଢିବ । ଗୋଟିଏ ପଟେ ବିଭିନ୍ନ ନଦୀରେ ଜଳସ୍ତର କମିଆସୁଥିଲା । ଏହି ସମୟରେ ବର୍ଷା ହେବା ସାଧାରଣ ଲୋକଙ୍କ ସମେତ ବନ୍ୟା ବିପନ୍ନାଙ୍କ ଚିନ୍ତା ବଢାଇଛି ।
ଏ ନେଇ ଏସଆରସି ପ୍ରଦୀପ ଜେନା ସମସ୍ତ ଜିଲାର ଜିଲାପାଳଙ୍କୁ ସତର୍କ କରାଇଛନ୍ତି । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ଆଶଙ୍କା ଥିବା ବେଳେ ଉତର ଓଡ଼ିଶା ପାଇଁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ୨୦ ତାରିଖ ସକାଳେ ଅବପାତ ଝାଡଖଣ୍ଡରେ ପହଞ୍ଚିବ । ଏହାର ପ୍ରଭାବ ଉତର- ପଶ୍ଚିମ ଓଡିଶା ଉପରେ ଅଧିକ ପଡ଼ିବ । ତେଣୁ ଉତର-ପଶ୍ଚିମ ଓଡିଶାରେ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।