ଜଳବନ୍ଦୀରେ ଲୋକେ, ବଢୁଛି ଦୁର୍ଦ୍ଦଶା
୧୩ ଜିଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ
ଭୁବନେଶ୍ୱର : ଉପର ମୁଣ୍ଡରେ ଲଗାଣ ବର୍ଷା ଓ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ନଦୀ କୂଳିଆବାସୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ମହାନଦୀ ଫୁଲୁ ଥିବା ବେଳେ ଏହାର ଜଳ ଗାଁରେ ପିଶିଲାଣି। ମହାନଦୀ ବ୍ୟତୀତ ରାଜ୍ୟର ଅନ୍ୟ ନଦୀ ଗୁଡିକରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ବନ୍ୟା ଯୋଗୁଁ ହାଜାର ହଜାର ଲୋକ ଜଳ ବନ୍ଦୀରେ ଅଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଉଦ୍ଧାର ପାଇଁ ଓଡ୍ରାଫ ଓ ଏନଡିଆରଏଫ ପ୍ରସ୍ତୁତ ଅଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ବନ୍ୟା ଯୋଗୁଁ ୧୩ଟି ଜିଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨ ହଜାର ୬୬ ଗାଁ ପ୍ରଭାବିତ ହୋଇଛି । ବନ୍ୟାରେ ୪୭୦ଟି ଗାଁ ଜଳଘେରରେ ରହିଥିବାବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବନ୍ୟାରେ ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୧୯୦ ରିଲିଫ କେନ୍ଦ୍ରରେ ଲକ୍ଷେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତିରତ କରାଯାଇଛି । ବନ୍ୟା ଓ ବର୍ଷା ଦ୍ୱାରା ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ବହୁତ ଚାଷ ଜମି ଜଳମଗ୍ନ ହୋଇଛି । ସେପଟେ, ରାଜ୍ୟର ପ୍ରାୟ ସମସ୍ତ ନଦୀର ଜଳସ୍ତର କମିବାରେ ଲାଗିଛି । ସେହିପରି ହୀରାକୁଦ ଡ୍ୟାମର ଜଳସ୍ତର ମଧ୍ୟ ହ୍ରାସ ପାଇଛି ।