ପ୍ରଥମଥର ପାଇଁ ଟ୍ରାକ୍ରେ ଦୌଡ଼ିଲା ‘ସୁପର ବାସୁକି’
ନୂଆଦିଲ୍ଲୀ : ଭାରତୀୟ ରେଳବାଇର ସବୁଠାରୁ ଲମ୍ବା ଓ ଶକ୍ତିଶାଳୀ ମାଲବାହୀନ ଟ୍ରେନ ‘ସୁପର ବାସୁକି’ ପ୍ରଥମଥର ପାଇଁ ଟ୍ରାକ୍ରେ ଦୌଡ଼ିଛି । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ(ଏସ୍ଇସିଆର) ପକ୍ଷରୁ ଅଗଷ୍ଟ ୧୫ରେ ଏହାର ଟ୍ରାଏଲ କରାଯାଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶର ସବୁଠାରୁ ଲମ୍ବା ଟ୍ରେନ୍ ଟ୍ରାକ୍ରେ କୋଇଲା ଧରି ତା’ର ଜଲୱା ଦେଖାଇଛି ।
ବାସୁକି ଟ୍ରାକ୍ରେ ଯାଉଥିବା ବେଳେ ଏହାର ଭିଡିଓକୁ ରେକର୍ଡ କରାଯାଇଥିଲା । ଏହାପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଟ୍ୱିଟ କରିଛନ୍ତି । ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହିପରି ଲୋକମାନେ ବାସୁକି ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଆଗ୍ରହ ଦେଖାଇବାରେ ଲାଗିଛନ୍ତି । ଏହି ଟ୍ରେନ୍?ଟିର ଲମ୍ବା ୩.୫ କିମି । ଏଥିରେ ୨୯୫ଟି ବଗି ଓ ୬ଟି ଇଞ୍ଜିନ ରହିଛି । ଟ୍ରାଏଲ ବେଳେ ଏଥିରେ ୨୫,୯୬୨ କେଜି ଓଜନର କୋଇଲା ଓ ମାଲ ରଖାଯାଇଥିଲା । ଏକାସଙ୍ଗରେ ଏହି ଟ୍ରେନରେ କୋଇଲା ସହ ଅନ୍ୟାନ୍ୟ ଜିନିଷକୁ ମଧ୍ୟ ନିଆଯାଇ ପାରିବ । ଏଥିପାଇଁ ୩.୫ କିମି ଲମ୍ବା ବାସୁକିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିଛି ବଗି ଖୋଲା ରହିଥିବା ବେଳେ ଆଉ କିଛି ବଗିକୁ ବକ୍ସ ଆକାରରେ ତିଆରି କରାଯାଇଛି । ବାସୁକିରେ ଯେତିକି କୋଇଲା ପରିବହନ ହୋଇପାରିବ, ସେଥିରେ ଗୋଟିଏ ପାୱାର ପ୍ଲାଂଟରେ ଦିନକରେ ୩୦୦୦ ମେଗା ୱାଟ ବିଜୁଳି ଉତ୍ପାଦନ ହୋଇପାରିବ । ଏହା ବର୍ତମାନ କୋଇଲା ପରିବହନ କ୍ଷମତା ଠାରୁ ୩ ଗୁଣ ଅଧିକ । ୨୬୭ କିମି ଦୂରତା ଅତିକ୍ରମ କରିବାକୁ ଟ୍ରେନକୁ ୧୧.୨୦ ଘଂଟା ସମୟ ଲାଗୁଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ସୁପର ବାସୁକି ଟ୍ରେନ ଛତିଶଗଡ଼ର ଭିଲାଇ ଠାରୁ କୋବ୍ରା ମଧ୍ୟରେ ଟ୍ରାଏଲ ରନ କରିଥିଲା । ଗତବର୍ଷ ମଧ୍ୟ ରେଳବାଇ ବାସୁକି ଓ ତ୍ରିଶୁଳ ନାଁରେ ଦୁଇଟି ବିଶାଳ ମାଲବାହୀ ଟ୍ରେନର ଟ୍ରାଏଲ ରନ କରାଇଥିଲା । ହେଲେ ଏହାର ଲମ୍ବା ୨.୮ କିମି ଥିଲା ।