ତ୍ୱଚାରେ ଚମକ ଆଣେ ସାଗୁ ଫେସପ୍ୟାକ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ
ଆପଣମାନେ ଜାଣିଥିବେ ଅଧିକାଂଶ ଲୋକଙ୍କ ଘରେ ସାଗୁ ବ୍ୟବହାର କରାଯାଇଥାଏ। ଏପରିକି ଅନେକ ବ୍ୟକ୍ତି ମଧ୍ୟ ଉପବାସ ସମୟରେ ସାଗୁ ଖାଇଥାନ୍ତି। ସାଗୁରେ ପ୍ରସ୍ତୁତ ହେଉଥିବା ଖେଚୁଡି ହେଉ ବା ଖିରି ସ୍ୱାଦିଷ୍ଟ ଲାଗିବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଅଧ୍ୟୟନ ଅନୁଯାୟୀ ସାଗୁ ଏପରି ଏକ ପୁଷ୍ଟିକର ଖାଦ୍ୟ ଯେଉଁଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଅଧିକ ପରିମାଣର କ୍ୟାଲୋରୀ ମଧ୍ୟ ରହିଥାଏ ।
କାରଣ ମୌଳିକ ଭାବରେ ଏହା ଷ୍ଟାର୍ଚରୁ ପ୍ରସ୍ତୁତ । ଯେଉଁଥିରେ କାର୍ବସ ଥାଏ, ଯାହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସାଗୁ ତ୍ୱଚା ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ। ତ୍ୱଚାର ଚମକ ପାଇଁ ମଧ୍ୟ ଆପଣ ସାଗୁ ବ୍ୟବହାର କରିପାରିବେ। ଏପରିକି ଆପଣ ଚେହେରାକୁ ଚମକଦାର ବନାଇବାକୁ ସାଗୁର ଫେସ୍ପ୍ୟାକ୍ ତିଆରି କରି ଲଗାଇ ପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଫେସପ୍ୟାକ।
ସାଗୁ ଫେସ୍ପ୍ୟାକ୍ ବନାଇବା ବିଧି :
୧ ଚାମଚ ସାଗୁ ଦାନା
୨-୩ ଚାମଚ ଲେମ୍ବୁ ରସ
୧ ଚାମଚ ଚିନି
୧ ଚାମଚ ମୁଲତାନି ମାଟି
୨ ଚାମଚ ଗୋଲାପ ଜଳ
ପ୍ରଥମେ ଗ୍ୟାସରେ ଏକ ପାତ୍ର ନେଇ ସେଥିରେ କିଛି ସାଗୁ ଓ ଲେମ୍ବୁ ରସ ପକାଇ ନରମ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଗ୍ରାଇଣ୍ଡରରେ ପେଷ୍ଟ କରି ଦିଅନ୍ତୁ। ଏବେ ଏହି ପେଷ୍ଟରେ ଅଳ୍ପ ଚିନି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏହି ପେଷ୍ଟକୁ ବାହାର କରି ସେଥିରେ ମୁଲତାନି ମାଟି ଓ ଗୋଲାପ ଜଳ ମିଶାନ୍ତୁ। ଏବେ ଏକ ଚାମଚରେ ଏହାକୁ ଭଲଭାବରେ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ୍ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ସାଗୁର ଏହି ଫେସ୍ପ୍ୟାକ୍ ମୁହଁର ଦାଗ, ବ୍ରଣ, କଳାପଣ ଦୂର କରିବାରେ ବେଶ୍ ସାହାଯ୍ୟ କରିଥାଏ । ତ୍ୱଚାର ଶୁଷ୍କପଣକୁ କମ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଏଣୁ ସବୁ ଋତୁରେ ଆପଣ ଏହି ଫେସପ୍ୟାକ ବ୍ୟବହାର କରିପାରିବେ।