ନଦୀରେ ବଢୁଛି ଜଳସ୍ତର : ରାଜ୍ୟରେ ବନ୍ୟା ଆଶଙ୍କା, ଚିନ୍ତାରେ ତଳିଆ ଅଞ୍ଚଳବାସୀ
ଭୁବନେଶ୍ୱର : ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ୧୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲାରେ ୭୦ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ହୋଇପାରେ । ଅତ୍ୟଧିକ ବର୍ଷା ଯୋଗୁ ମାଟି ଅତଡା ଖସିବା ସହ ଭୂସ୍ଖଳନ ହେବା ସମ୍ଭାବନା ରହିଛି ।
ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଥିବାରୁ ନଦୀ କୂଳିଆ ତଥା ତଳିଆ ଅଞ୍ଚଳ ଲୋକ୍ଙକୁ ଚିନ୍ତା ଘାରୁଛି । ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବାରେ ଲାଗିଛି । ସେହିପରି ବୈତରଣୀ ଜଳସ୍ତର ବୃଦ୍ଧି ପାଉଥିବାବେଳେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତେବେ ମୁଣ୍ଡଳୀ ଠାରେ ମହାନଦୀର ଉପର ମୁଣ୍ଡରେ ୮୫.୨୦ ମିଟର ଓ ତଳମୁଣ୍ଡରେ ୮୩.୦୦ ମିଟର ରହିଥିବାବେଳେ ମୁଣ୍ଡଳୀ ବ୍ୟାରେଜ ଦେଇ ୩ ଲକ୍ଷ ୭୮ ହଜାର ୫୨୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।
ସେହିପରି ନରାଜ ବ୍ୟାରେଜ୍ର ଉପର ମୁଣ୍ଡରେ ୨୪.୯୦ ମିଟର ଓ ତଳମୁଣ୍ଡରେ ୨୧.୫୦ ମିଟର ଜଳ ପ୍ରବାହିତ ହେଉଛି । ତେବେ ନରାଜ ବ୍ୟାରେଜ୍ ଦେଇ ବର୍ତ୍ତମାନ ୧ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ଅନ୍ୟପକ୍ଷରେ ହୀରାକୁଦର ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଲଗାଣ ବର୍ଷା ଫଳରେ ଡ୍ୟାମ୍ରୁ ଜଳ ନିଷ୍କାସନ ହେଉଥିବାରୁ ବନ୍ୟା ଆଶଙ୍କା ଦେଖା ଦେଇଛି । ଫଳରେ ତଳି ଅଞ୍ଚଳର ଲୋକଙ୍କୁ ନଦୀ ଭିତରକୁ ନ ଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେହିପରି ବାଲେଶ୍ୱର ଜିଲା ବସ୍ତା ବ୍ଲକ୍ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ମଥାନୀ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନିରେ ବିପଦ ସଂକେତ ୫ଦଶମିକ ୫୦ମିଟର ଥିବାବାଳେ ଜଳସ୍ତର ୫ଦଶମିକ ୯୦ ମିଟର ରହିଛି । କିନ୍ତୁ ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳସ୍ତର ଗତକାଲି ଅପେକ୍ଷା ଟିକେ କମ୍ ହୋଇଛି । ଗତକାଲି ନଦୀର ଜଳସ୍ତର ୬ଦଶମିକ ୨୯ ମିଟରରେ ପହଁଚିଥିଲା । କିନ୍ତୁ ଆଜିଠାରୁ ଆଉ ଏକ ଲଘୁଚାପ ହେବାକୁ ଥିବାରୁ ନଦୀ ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ନଦୀ କୂଳିଆ ଲୋକ ।