ଚତୁର୍ଥ ଟି-୨୦: ଓ୍ଵେଷ୍ଟଇଣ୍ଡିଜକୁ ୧୯୨ ରନ ବିଜୟ ଲକ୍ଷ୍ୟ ଦେଲା ଭାରତ
ଫ୍ଲୋରିଡା: ବ୍ୟାଟସମ୍ୟାନଙ୍କ ସାମୂହିକ ପ୍ରଦର୍ଶନ ବଳରେ ଭାରତ ଲାଉଡରହିଲର ସେଣ୍ଟ୍ରାଲ ବ୍ରୋଓ୍ଵାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ମୁକାବିଲାରେ ବଡ ସ୍କୋର କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି। ସିରିଜ୍ ବରାବର କରିବା ପାଇଁ ଓ୍ଵେଷ୍ଟଇଣ୍ଡିଜ ସମ୍ମୁଖରେ ରହିଛି ୧୯୨ ରନ।
ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୪ ରନ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୩୩ ରନ କରିଛନ୍ତି। ସଞ୍ଜୁ ସାମସନ ୩୦ ଏବଂ ଅକ୍ଷର ପଟେଲ୍ ୮ ବଲ୍ରୁ ଦ୍ରୁତ ୨୦ ରନ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିବା ବେଳେ ଦୀପକ ହୁଡ୍ଡା ୨୧ ରନ କରିଥିଲେ। ଓ୍ଵେଷ୍ଟଇଣ୍ଡିଜ ତରଫରୁ ଅଲଜାରୀ ଯୋଶେଫ ୨୯ ରନ ଦେଇ ୨ଟି ଏବଂ ଓବେଡ ମକକୟ ମହଙ୍ଗା ସାବ୍ୟସ୍ତ ହୋଇ ୬୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସଂପ୍ରତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଭାରତ ଆଜିର ମ୍ୟାଚ୍ ଜିତିଲେ ସିରିଜ୍ ଜିତିବ ଏବଂ ହାରିଲେ ସିରିଜ୍ ବରାବର ରହିବ। ଆସନ୍ତାକାଲି ଶେଷ ମୁକାବିଲା ଖେଳାଯିବ।