ଭୋଜିଖାଇ ୧୫୦ରୁ ଉର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଜଣେ ମହିଳା ମୃତ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଦାରୁହା ଗ୍ରାମରେ ଭୋଜି ଖାଇ ୧୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୃତ ମହିଳା ଜଣକ ହେଲେ ରଘୁ ମହାନ୍ତିଙ୍କ ପତ୍ନୀ ସଞ୍ଜୁରାଣୀ (୨୬) ।
ସୂଚନା ଯେ, ଉକ୍ତ ଗ୍ରାମର ସୁଜନ ଦାସ ନାମକ ବ୍ୟକ୍ତିଙ୍କ ଘରେ ଶନିବାର ଅନ୍ନ ମହୋତ୍ସବ ଓ ରବିବାର ଦିନ ବାହାଘର ଭୋଜି ହୋଇଥିଲା । ବନ୍ଧୁବାନ୍ଧବ ଓ ଗ୍ରାମଲୋକେ ଭୋଜି ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାଙ୍କର ମୁଣ୍ଡ ବୁଲାଇବା ସହିତ ଝାଡ଼ାବାନ୍ତି କ୍ରମଶଃ ବ୍ୟାପିଥିଲା । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ କେତେକ ଜଳେଶ୍ୱରପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଡା. କମଳାକାନ୍ତ ଜେନାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଘଟଣାସ୍ଥଳକୁ ଯାଇ ଅସୁସ୍ଥ ଥିବା ଲୋକଙ୍କୁ ଚିକିତ୍ସା ଜାରି ରଖିଛନ୍ତି। ଫୁଡ୍ ପଏଜନ ଯୋଗୁ ଏପରି ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ ପାଣି ନମୂନା, ଆକ୍ରାନ୍ତଙ୍କ ଝାଡ଼ା ଓ ପରିତ୍ସା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି।