ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ଭାରତ ଜିତିଲା ପ୍ରଥମ ପଦକ
୫୫ କେଜି ଭାରୋତ୍ତୋଳନ ବର୍ଗରେ ରୌପ୍ୟ ଜିତିଲେ ସଙ୍କେତ ମହାଦେବ
ବର୍ମିଂହାମ : ଇଂଲଣ୍ଡରେ ବର୍ମିଂହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ପଦକ। ଶନିବାର ଦ୍ୱିତୀୟ ଦିନରେ ଭାରତ ରୌପ୍ୟ ପଦକ ସହ ଖାତା ଖୋଲିଛି । ଦେଶ ପାଇଁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ରୌପ୍ୟ ଜିତିଛନ୍ତି ସଙ୍କେତ ମହାଦେବ ସାଗର। ସେ ମୋଟ ୨୪୮ କେଜି ଓଜନ ଉଠାଇ ବର୍ମିଂହାମରେ ଭାରତର ଟେକ ରଖିଛନ୍ତି। ପ୍ରତିଯୋଗିତାରେ ସଙ୍କେତ ରୌପ୍ୟ ପଦକ ଜିତିଥିବାବେଳେ ମାଲେସିଆର ଅନୀକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ସଙ୍କେତ ସ୍ନାଚରେ ୧୧୩ କେଜି ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୩୫ କେଜି ଓଜନ ଉଠାଇଛନ୍ତି। ତେବେ ଦ୍ୱିତୀୟ ଚେଷ୍ଟାରେ ସଙ୍କେତ ୧୪୧ କେଜି ଓଜନ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କହୁଣୀ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଛି। ତଥାପି ସେ ତୃତୀୟ ଚେଷ୍ଟା କରିଥିଲେ। ହେଲେ ସେଥିରେ ମଧ୍ୟ ସଙ୍କେତ ନିରାଶ ହୋଇଛନ୍ତି। ତୃତୀୟ ଚେଷ୍ଟାରେ ଫେଲ ମାରିଥିବା ସଙ୍କେତଙ୍କ କହୁଣୀରେ ଆହୁରି ଶକ୍ତ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି। ସେହିପରି ଏହି ବର୍ଗରେ ମାଲେସିୟାର ବିନ ମହମ୍ମଦ ଅନିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ମୋଟ ୨୪୯ କେଜି ଓଜନ ଉଠାଇଛନ୍ତି। ସେ ସ୍ନାଚରେ ୧୦୭ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୪୨ କେଜି ଓଜନ ଉଠାଇଛନ୍ତି। ଶ୍ରୀଲଙ୍କାର ଦିଲଙ୍କା ୟୋଡାଗେ ଏହି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ୨୨୫ କେଜି ଓଜନ ଉଠାଇଛନ୍ତି।
ସୂଚନା ଯେ, ରାଷ୍ଟ୍ରୀୟ ସ୍ତରରେ ଅନେକ ପୁରସ୍କାର ଜିତିଥିବା ସଙ୍କେତ ମହାଦେବ ସରଗର ଭାରତର ଷ୍ଟାର ୱେଟଲିଫ୍ଟର । ସେ ୫୫ କେଜି ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଥାନ୍ତି । ଗତ ବର୍ଷ ତାଶକନ୍ଦରେ ହୋଇଥିବା ଚାମ୍ପିୟନସିପ୍ ୫୫ କେଜି ସ୍ନାଚ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଥିଲେ । ସେତେବେଳେ ସେ ୧୧୩ କେଜି ଉଠାଇଥିଲେ । ଏହା ସହ ସରଗର ସ୍ନାଚ ଇଭେଣ୍ଟରେ ନୂଆ ରେକର୍ଡ କରିଥିଲେ ।