ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ମହିଳା ହକିରେ ଘାନାକୁ ୫-୦ରେ ହରାଇଲା ଭାରତ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅନୁଷ୍ଠିତ ମହିଳା ହକିରେ ଭାରତର ବଡ଼ ବିଜୟ। ଶୁକ୍ରବାର ପୁଲ୍-ଏ’ର ନିଜର ପ୍ରଥମ ମ୍ୟାଚ୍ରେ ସବିତାଙ୍କ ନେତୃତ୍ବାଧୀନ ଭାରତ ୫-୦ ଗୋଲ୍ରେ ଘାନାକୁ ପରାସ୍ତ କରିଦେଇଛି।
ପ୍ରଥମାର୍ଦ୍ଧରେ ୨-୦ର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ବିତୀୟାର୍ଦ୍ଧରେ ଆଉ ୩ଟି ଗୋଲ୍ ଲଦି ଦେଇଥିଲା। ଗୁର୍ଜିତ୍ କୌରଙ୍କ ତୃତୀୟ ମିନିଟ୍ ପେନାଲ୍ଟି ଗୋଲ୍ ବଳରେ ଭାରତ ପ୍ରଥମ କ୍ବାର୍ଟରରେ ୧-୦ର ଅଗ୍ରଣୀ ପାଇବା ପରେ ଦ୍ବିତୀୟ କ୍ବାର୍ଟରରେ ନେହା ଏକ ଫିଲ୍ଡ ଗୋଲ୍ (୨୮ ମିନିଟ୍) ଦେଇ ୨-୦ର ଅଗ୍ରଣୀ ଭେଟି ଦେଇଥିଲେ। ଏହାପରେ ତୃତୀୟ କ୍ବାର୍ଟରରେ ଦୁଇଟି ଗୋଲ୍ ହୋଇଥିଲା। ୩୬ ମିନିଟ୍ରେ ସଂଗୀତା କୁମାରୀ ଫିଲ୍ଡ ଗୋଲ୍ କରିଥିଲା ବେଳେ ୩୯ ମିନିଟ୍ରେ ଗୁର୍ଜିତ କୌର ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ଚତୁର୍ଥ ଗୋଲ୍ କରିଥିଲେ। ମ୍ୟାଚ୍ରେ ଗୁର୍ଜିତ୍ଙ୍କ ଏହା ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଥିଲା ବେଳେ ତୃତୀୟ କ୍ବାର୍ଟର ଶେଷରେ ଭାରତ ୪-୦ରେ ଆଗୁଆ ହୋଇଯାଇଥିଲା। ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଭାରତ ଗୋଟିଏ ଗୋଲ୍ କରି ୫-୦ର ଏକପାଖିଆ ବିଜୟ ହାସଲ କରିନେଇଥିଲା। ଦଳ ପାଇଁ ପଞ୍ଚମ ତଥା ଶେଷ ଗୋଲ୍ଟି ୫୬ ମିନିଟ୍ରେ ସାଲିମା ଟେଟେ ଦେଇଥିଲେ। ସେ ଫିଲ୍ଡ ଗୋଲ୍ କରି ଘାନାକୁ ପ୍ରଭାବଶୂନ୍ୟ କରିଦେଇଥିଲେ।