ଓଡ଼ିଶା ଏଫ୍ସି ସହ ପ୍ୟାରୀ ଖାଖାଙ୍କ ଚୁକ୍ତି
ଭୁବନେଶ୍ବର: ଭାରତୀୟ ମହିଳା ଫୁଟ୍ବଲ୍ ଦଳର ତାରକା ଖେଳାଳି ଓଡ଼ିଆ ଝିଅ ପ୍ୟାରୀ ଖାଖାଙ୍କୁ ପେସାଦାର ଫୁଟ୍ବଲ୍ ଦଳ ଓଡ଼ିଶା ଏଫ୍ସି ଚୁକ୍ତିବଦ୍ଧ କରିଛି। ଆଇଏସ୍ଏଲ୍ର ମହିଳା ଦଳରେ ସାମିଲ ହେବାରେ ପ୍ୟାରୀ ପ୍ରଥମ ଓଡ଼ିଆ ଖେଳାଳି ମଧ୍ୟ ହୋଇଛନ୍ତି। ସୁନ୍ଦରଗଡ଼ର ଝରତରଙ୍ଗରୁ ଆସି ଭାରତୀୟ ଯୁବ (୧୯ ବର୍ଷରୁ କମ୍) ଏବଂ ବରିଷ୍ଠ ଦଳରେ ଖେଳି ସାରିଛନ୍ତି ସେ।
୨୦୧୪ରେ ପ୍ୟାରୀ ଏଆଇଏଫଏଫ୍ର ଉଦୀୟମାନ ଖେଳାଳି ଏବଂ ୨୦୧୦-୨୧ରେ ଭାରତୀୟ ପ୍ରଶଂସକଙ୍କ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ବିଜୁଳି ବେଗ ଓ ଶକ୍ତି ପାଇଁ ପରିଚିତ ପ୍ୟାରୀ କୁଆଁରମୁଣ୍ଡାରୁ ନିଜ ଖେଳ ଜୀବନ ଆରମ୍ଭ କରିଥିବାବେଳେ ୨୦୧୭-୧୮ରେ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ୍ସକୁ ଇଣ୍ଡିଆନ୍ ୱିମେନ୍ସ ଲିଗ୍ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଓଡ଼ିଶା ପୁଲିସ୍ ଓ ସ୍ପୋର୍ଟସ ଓଡ଼ିଶା ପାଇଁ ଖେଳିବା ପରେ ଏବେ ଓଡ଼ିଶା ଏଫ୍ସି ତାଙ୍କ ସେବାରୁ ଫାଇଦା ନେବାକୁ ଯାଉଛି। ପ୍ୟାରୀଙ୍କ ଚୁକ୍ତିକୁ ଓଡ଼ିଶା ଏଫ୍ସି ସଭାପତି ରାଜ ଅତୱାଲ୍ ସ୍ବାଗତ କରିବା ସହ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ସେହିଭଳି ଓଡ଼ିଶା ଏଫ୍ସି ମଧ୍ୟ ଭାରତୀୟ ଦଳର ଅନ୍ୟତମ ଡିଫେଣ୍ଡର୍ ମୁମ୍ବାଇ ଝିଅ ଆରିଫା ବେଗମଙ୍କୁ ଚୁକ୍ତିବଦ୍ଧ କରିଥିବା ଘୋଷଣା କରିଛି।