ସୋମବାର ଠାରୁ ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ୍ ପ୍ରତିଯୋଗିତା
୨୩ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ଟଙ୍କଧର ବାଗ୍
ଭୁବନେଶ୍ବର : ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ୍ ପ୍ରତିଯୋଗିତା । କଳିଙ୍ଗ ଷ୍ଟାଡିୟମ୍ ମୁଖ୍ୟ ପଡ଼ିଆରେ ଏହି ମ୍ୟାଚ ଖେଳାଯିବ। ଏଥିଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷିତ ହୋଇଥିବା ଏହି ୨୩ ଜଣିଆ ଦଳରେ ଓଡ଼ିଶାର ଟଙ୍କଧର ବାଗ୍ ସ୍ଥାନ ପାଇଛନ୍ତି। ୧୮ ବର୍ଷୀୟ ଟଙ୍କଧର ହେଉଛନ୍ତି ଜଣେ ରକ୍ଷଣଭାଗ ଖେଳାଳି। ଗତ ବର୍ଷ ଜାନୁଆରି ୩୧ରେ ଇଣ୍ଡିଆନ୍ ଆରୋଜ୍ ପକ୍ଷରୁ ଚର୍ଚ୍ଚିତ ବ୍ରଦର୍ସ ବିପକ୍ଷରେ ଖେଳି ପେସାଦାର ଫୁଟବଲ୍ ଦୁନିଆରେ ପାଦ ରଖିଥିଲେ ସେ। ଝାରସୁଗୁଡ଼ା ନିକଟସ୍ଥ ସାଲେପଲିର ମହେଶ୍ବର ଓ ହେମଲତା ବାଗଙ୍କ ତିନି ପୁଅ ମଧ୍ୟରୁ ଟଙ୍କଧର ହେଉଛନ୍ତି ସବୁଠୁ ସାନ। ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସରୁ ନିଜ ଖେଳ ଜୀବନ ଆରମ୍ଭ କରିଥିଲେ ସେ। ଟଙ୍କଧରଙ୍କୁ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ସମ୍ପାଦକ ଆଶୀର୍ବାଦ ବେହେରା ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି। ଭାରତୀୟ ୨୦ ବର୍ଷରୁ କମ୍ ଦଳ ଗତ ଦୁଇ ଋତୁ ହେବ ଆଇ-ଲିଗ୍ ଘରୋଇ ପ୍ରତିଯୋଗିତା ଏବଂ ଆଇଏଫ୍ଏ ସିଲ୍ଡରେ ଅଂଶଗ୍ରହଣ କରି ସାଫ୍ ପ୍ରତିଯୋଗିତା ଲାଗି ପ୍ରସ୍ତୁତି କରିଛି। ସାଫ୍ ପ୍ରତିଯୋଗିତା ଲାଗି ଅଧିକାଂଶ ଖେଳାଳି ଇଣ୍ଡିଆନ୍ ଆରୋଜ୍ ନାମରେ ଏହି ଦୁଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରୁ ହିଁ ବଛାଯାଇଛି।
ସୂଚନା ଯେ, ଦୁଇବର୍ଷର ବ୍ୟବଧାନ ପରେ ଭାରତୀୟ ୨୦ ବର୍ଷରୁ କମ୍ ଦଳ ଅନ୍ତର୍ଜାତୀୟ ଫୁଟବଲ୍କୁ ଫେରୁଛି। ସାଫ୍ ପ୍ରତିଯୋଗିତାରେ ଭାରତ ପଡ଼ୋଶୀ ବାଂଲାଦେଶ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଏହି ପ୍ରତିଯୋଗିତା ପରେ ଭାରତୀୟ ଦଳ ଏଏଫ୍ସି ୨୦ ବର୍ଷରୁ କମ୍ ଫୁଟବଲ୍ ଲାଗି ଇରାକ ଗସ୍ତ କରିବ। ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, କୁଏତ ଓ ଆୟୋଜକ ଇରାକ ସହ ଗ୍ରୁପ୍-ଏଚ୍’ରେ ସ୍ଥାନ ପାଇଛି। ଦଳ ଘୋଷଣା ପରେ ମୁଖ୍ୟ ପ୍ରଶିକ୍ଷକ ଶନମୁଗମ୍ ଭେଙ୍କଟେଶ କହିଛନ୍ତି ଯେ ସାଫ୍ ପ୍ରତିଯୋଗିତାରେ ଭଲ କରିବୁ ବୋଲି ଆମେ ଆଶା ରଖିଛୁ। ଏହି ମହାଦେଶ ସ୍ତରୀୟ ପ୍ରତିଯୋଗିତା ଲାଗି ସାଫ୍ ପ୍ରତିଯୋଗିତା ଆମକୁ ଏକ ଭଲ ମଞ୍ଚ ପ୍ରଦାନ କରିବ। ସେହିଦୃଷ୍ଟିରୁ ଆମେ ସାଫ୍ ପ୍ରତିଯୋଗିତାର ଗୁରୁତ୍ବ ଏବଂ ମହତ୍ବ ବୁଝିଛୁ। ଘରୋଇ ପରିବେଶ ମଧ୍ୟ ଆମ ପାଇଁ ଆଉ ଏକ ସକାରାତ୍ମକ କଥା।
ଭାରତୀୟ ଦଳ: ଗୋଲ୍ରକ୍ଷକ-ସୟଦ ଜାହିଦ ବୁଖାରି, ମୋହିତ ସିଂହ ଧାମି, ସୋମ୍ କୁମାର, ରକ୍ଷଣଭାଗ-ଅମନଦୀପ, ହଲେନ ନଙ୍ଗଦୁ, ବିକାଶ ୟୁମନାମ, ସଜଦ ହୁନେଦ ପରେ, ରାଜ୍ ବାସଫୋର, ବ୍ରଜେଶ ଗିରି, ଟଙ୍କଧର ବାଗ, ପ୍ରିତମ ମିତେଇ ସରୋଖାଇବମ୍, ମଧ୍ୟଭାଗ-ଶିବଜିତ ସିଂହ ଲିମାପୋଖରମ, ଭିବିନ ମୋହନନ୍, ବିନୟ ହାର୍ଜି, ମହେଶନ ସିଂହ ଥଙ୍ଗବାମ, ସୁଜିତ ସିଂହ, ହର୍ଷ ଶୈଳେଶ ପତ୍ରେ, ତାଇସନ୍ ସିଂହ ଲୋଇତଙ୍ଗବାମ, ମାକାରଟନ୍ ଲୁଇସ୍ ନିକସନ୍। ଅଗ୍ରଭାଗ- ଗୁରକିରଟ ସିଂହ, ପାର୍ଥିବ ସୁନ୍ଦର ଗୋଗୋଇ, ହିମାଂଶୁ ଜାଙ୍ଗ୍ରା, ଶୁଭୋ ପଲ୍। ଶନମୁଗମ୍ ଭେଙ୍କଟେଶ।