ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ
ଭୁବନେଶ୍ୱର : ଭୁବନେଶ୍ୱର ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ ଆସିଛି । +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଜଣେ ଛାତ୍ରଙ୍କୁ ଏକାଧିକ ସିନିୟର୍ ନିର୍ଯାତନା ଦେବା ସହ ପିଟିଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ବଡ଼ଗଡ଼ ଥାନାରେ ସମ୍ପୃକ୍ତ ଛାତ୍ର ଓ ଅଭିଭାବକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ନେଇ କଲେଜ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ନିକଟରେ ବିଜେବି କଲେଜର ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତି ରାଗିଂ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।
ରାଗିଂର ଶିକାର ହୋଇଥିବା ବିଜେବି କଲେଜର ଯୁକ୍ତ ଦୁଇ କଳା ଛାତ୍ର ବଡ଼ଗଡ଼ ପୁଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କଲେଜର କିଛି ସିନିଅର ଛାତ୍ର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି । ସେ କହିଛନ୍ତି ଯେ, ‘ମୁଁ ପ୍ରାୟ ୧୦ ଦିନ ପୂର୍ବରୁ ସେମାନଙ୍କଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲି । ସେମାନେ ମୋତେ ଡାକି ପଚାରିଲେ ମୁଁ କାହିଁକି କଲେଜକୁ ବାଇକ୍ ନେଉଛି? ଏପରିକି ସେମାନେ ମୋତେ ଚାପୁଡ଼ା ମାରିଥିଲେ । ମୁଁ ପୁଲିସ ଷ୍ଟେସନରେ ଏତଲା ଦେଇଥିଲି ଓ କଲେଜରେ ମଧ୍ୟ ଆବେଦନ କରିଥିଲି ।’ ତେବେ ପୁଲିସ କିମ୍ବା କଲେଜ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଆଜି ସେହି ସିନିଅର ଛାତ୍ରମାନେ ତାଙ୍କୁ +୨ କ୍ୟାମ୍ପସରୁ +୩ କ୍ୟାମ୍ପସକୁ ଟାଣି ନେଇ ମାଡ଼ ମାରିଥିବା ସେ କହିଛନ୍ତି ।
ସୂଚନା ଯେ, ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର ୨୨୧ ନମ୍ବର ରୁମ୍ରେ ରୁଚିକା ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ, ସିନିଅର ଛାତ୍ରୀଙ୍କ ନିର୍ଯାତନା ସୀମା ଟପିଯାଇଛି । ଜୀବନ ରଖିବାକୁ ଆଉ ଚାହୁଁନାହିଁ । ତେବେ ରୁଚିକା ଆତ୍ମହତ୍ୟା କରିବାର ଘଟଣାକୁ ୨୦ ଦିନ ବିତିଯାଇଥିଲେ ବି ଅଭିଯୁକ୍ତ ୩ ଜଣ ସିନିୟର ଛାତ୍ରୀ ଧରାପଡ଼ି ନାହାନ୍ତି । ପୁଲିସ ରୁଚିକାଙ୍କ ସାଙ୍ଗ ଓ କଲେଜ କର୍ମଚାରୀଙ୍କୁ ଜେରା କରିଛି ।