ସରିଲା ରାଷ୍ଟ୍ରପତି ନିର୍ବାଚନ : ୯୯% ମତଦାନ, ବାଲଟ ବକ୍ସରେ ଭାଗ୍ୟ
୨୧ରେ ଗଣତି, ୨୫ରେ ଶପଥ ନେବେ ନୂଆ ରାଷ୍ଟ୍ରପତି
ଭୋଟ୍ ଦେଲେନି ୮ ସାଂସଦ, ବିଭିନ୍ନ ରାଜ୍ୟରେ କ୍ରସ୍ଭୋଟିଂ
ନୂଆଦିଲ୍ଲୀ : ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ୪୭୯୬ ନିର୍ବାଚିତ ପ୍ରତିନିଧି (୭୭୧ ସାଂସଦ ଏବଂ ୪୦୨୫ ବିଧାୟକ)ଙ୍କ ମଧ୍ୟରୁ ପ୍ରାୟ ୯୯ ଭାଗ ମତଦାନରେ ଭାଗ ନେଇଛନ୍ତି। ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦ ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକମାନେ ଭୋଟ ଦେଇଛନ୍ତି । ମାତ୍ର ୮ ଜଣ ସାଂସଦ ଅନୁପସ୍ଥିତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପିରୁ ୨, ଶିବସେନାରୁ ୨, କଂଗ୍ରେସରୁ ୧, ସମାଜବାଦୀ ପାର୍ଟି ୧, ବିଏସପି ୧ ଏବଂ ଅସଦୁଦ୍ଦିନ ଅୱେସି ପ୍ରମୁଖ ଅଛନ୍ତି। ବିଜେପି ସାଂସଦ ସନ୍ନି ଦେଓଲ ମଧ୍ୟ ଭୋଟ୍ ଦେଇ ନାହାନ୍ତି। ଆଉ ଏକ ଭିନ୍ନ କଥାଟି ହେଲା ଯେ ଅନେକ ବିଧାୟକ ଦଳୀୟ ନିଷ୍ପତ୍ତିରୁ ହଟି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପିରୁ ଦୁଇ ଦୁଇ ଜଣ ବିଧାୟକ ଅଛନ୍ତି। ସେମାନେ ବିବେକ ଅୁନସାରେ ଭୋଟ୍ ଦେଇଥିବା କହିଛନ୍ତି। ଏହସହିତ ୧୦ଟି ରାଜ୍ୟରେ ୧୦୦ ପ୍ରତିଶତ ଭୋଟ୍ ହୋଇଛି ବୋଲି ମୁଖ୍ୟ ରିଟର୍ଣ୍ଣିଂ ଅଫିସର ପିସି ମୋଡି କହିଛନ୍ତି।
ସୋମବାର ଦିନ ୧୦ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକିୟା ଅପରାହ୍ନ ୫ଟା ଯାଏଁ ଚାଲିଥିଲା । ଦେଶର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚନ ମୈଦାନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ଦ୍ରୌପଦୀଙ୍କ ସମର୍ଥନରେ ୪୪ଟି ଦଳ ରହିଥିବା ବେଳେ ଯଶୱନ୍ତଙ୍କ ସମର୍ଥନରେ ୩୪ଟି ଦଳ ରହିଛି । ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହୁଏ ନାହିଁ । ସଂସଦ ଭବନରେ ଯେଉଁମାନ ଭୋଟ୍ ଦେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଶଶୀ ଥରୁର, ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଭୋଟ୍ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବ ହ୍ବିଲ ଚେୟାରରେ ଯାଇ ସଂସଦ ଭବନରେ ଭୋଟ୍ ଦେଇଛନ୍ତି। ସେହିଭଳି କରୋନାରେ ପୀଡ଼ିତ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିପିଇ କିଟ୍ ପିନ୍ଧି ଭୋଟଦାନ କରିଛନ୍ତି।ସୋମବାର ମତଦାନ ପରେ ବିଭିନ୍ନ ରାଜ୍ୟରୁ ସଡ଼କ ଓ ବିମାନ ମାଧ୍ୟମରେ ଭୋଟ୍ ବାକ୍ସଗୁଡ଼ିକୁ ଦିଲ୍ଳୀ ଅଣାଯାଉଛି। ସାଥିରେ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରମାନେ ଆସିବେ ବୋଲି ସେ କହିଛନ୍ତି। ଆସନ୍ତା ୨୧ ତାରିଖରେ ସଂସଦ ଭବନରେ ଗଣତି ହେବ ଏବଂ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ନେବେ। ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ଥିବା ବେଳେ ଯଶୋବନ୍ତ ସିହ୍ନା ବିରୋଧୀ ଦଳର ପ୍ରାର୍ଥୀ ଅଛନ୍ତି। ତେବେ ୬୦ ଭାଗରୁ ଅଧିକ ଭୋଟ୍ ପାଇ ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ଦ୍ରୌପଦୀ ବିଜୟ ଲାଭ କଲେ ସେ ଅନେକ ଦୃଷ୍ଟିରୁ ପ୍ରଥମ ହେବେ। ସ୍ବାଧୀନ ଭାରତରେ ଜନ୍ମ ହୋଇଥିବା ପ୍ରଥମ ବ୍ୟକ୍ତି ଭାବେ ସେ ରାଷ୍ଟ୍ରପତି ହେବେ। ୬୪ ବର୍ଷୀୟ ଦ୍ରୌପଦୀ ଦେଶର କନିଷ୍ଠତମ ରାଷ୍ଟ୍ରପତି ମଧ୍ୟ ହେବେ। ସେହିଭଳି ଦେଶର ପ୍ରଥମ ଆଦିବାସୀ ନେତା ଭାବେ ସେ ମଧ୍ୟ ଏହି ଆସନରେ ବସିବେ।