ବିଦେଶ ଯାଇପାରିବେ ଆର୍ୟନ ଖାନ, ପାସପୋର୍ଟ ଫେରାଇବାକୁ କୋର୍ଟ ଦେଲେ ନିର୍ଦ୍ଦେଶ
ମୁମ୍ବାଇ : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏକ ବଡ଼ ଅସ୍ବସ୍ତି ମିଳିଛି । କ୍ରୁଜ୍ ଡ୍ରଗ୍ସ ମାମଲାରେ ତାଙ୍କ ନାମ ଆସିବା ପରେ ଆର୍ୟନ ଖାନଙ୍କ ପାସପୋର୍ଟ ଜବତ କରାଯାଇଥିଲା ଓ ନିକଟରେ ସେ ପାସପୋର୍ଟ ଫେରସ୍ତ ପାଇଁ ସ୍ପେଶାଲ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ କୋର୍ଟରେ ଆବେଦନ କରିଥିଲେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ କୋର୍ଟଙ୍କ ରାୟ ଆର୍ୟନଙ୍କ ସପକ୍ଷରେ ଆସିଛି ଓ ପାସପୋର୍ଟ ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବାସ୍ତବରେ କ୍ରୁଜ୍ ଡ୍ରଗ୍ସରେ ଅଭିଯୁକ୍ତ ଆର୍ୟନ ଖାନ୍ ଜାମିନ ସର୍ତ୍ତରେ ପାସପୋର୍ଟ ଦାଖଲ କରିଥିଲେ । ଏହି ମାମଲାରେ ଏନସିବିରୁ କ୍ଲିନ୍ ଚିଟ୍ ପାଇବା ପରେ ଆର୍ୟନ ତାଙ୍କ ପାସପୋର୍ଟ ଫେରସ୍ତ ପାଇଁ ଆବେଦନ କରିଥିଲେ । ଏହା ପରେ ଆର୍ୟନଙ୍କ ପାସପୋର୍ଟ ଫେରସ୍ତ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁଛୁ ଯେ ପାସପୋର୍ଟ ଜମା ହୋଇଥିବା ଯୋଗୁଁ ଆର୍ୟନ ଖାନ୍ ବିଦେଶ ଯାତ୍ରା କରିପାରୁ ନଥିଲେ, କିନ୍ତୁ ପାସପୋର୍ଟ ଫେରସ୍ତ ପରେ ସେ ବିଦେଶ ଯାତ୍ରା କରିପାରିବେ ।
ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୨ ତାରିଖରେ ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ଆର୍ୟନ ଖାନଙ୍କୁ ଏନସିବି ଗିରଫ କରିଥିଲା । ହାଇ ପ୍ରୋଫାଇଲ୍ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା, ଏହା ପରେ ମୁମ୍ବାଇ ହାଇକୋର୍ଟଙ୍କ ଜାମିନ ପାଇବା ପୂର୍ବରୁ ଆର୍ୟନ ଖାନ୍ ୨୦ ଦିନରୁ ଅଧିକ ଜେଲରେ ରହିଥିଲେ । ମେ’ମାସରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କୁ ଅଭିଯୁକ୍ତ ବୋଲି ନାମକରଣ କରାଯାଇ ନାହିଁ । ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଏନସିବି ଆର୍ୟନ ଖାନ୍ ଓ ଅନ୍ୟ ପାଞ୍ଚ ଜଣଙ୍କୁ ମୁକ୍ତ କରିଥିଲା । ତେବେ ଜାମିନ ସର୍ତ୍ତ ଯୋଗୁଁ ଆର୍ୟନ ଖାନ୍ ନିଜ ପାସପୋର୍ଟ କୋର୍ଟରେ ଦାଖଲ କରିଥିଲେ ।