କ୍ୟାପ୍ଟେନ୍ କୁଲ୍ ମାହି@୪୧ : ଇଂଲଣ୍ଡରେ କେକ୍ କାଟିଲେ ଧୋନୀ
ନୂଆଦିଲ୍ଲୀ : ଆଜି ୪୧ ବର୍ଷରେ ପାଦ ଦେଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ୟାପ୍ଟେନ୍ କୁଲ୍ ମାହି ତଥା ମହେନ୍ଦ୍ର ସିଂ ଧୋନୀ । ଏହି ଅବସରରେ ତାଙ୍କର କୋଟି କୋଟି ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି ଜନ୍ମଦିନକୁ ସେ ଇଂଲଣ୍ଡରେ ଖାସ୍ ଅନ୍ଦାଜରେ ସେଲିବ୍ରେସନ୍ କରିଛନ୍ତି । ନିଜ ପରିବାର ସଦସ୍ୟଙ୍କ ସହ ସେ କେକ୍ ମଧ୍ୟ କାଟିଛନ୍ତି ।
ଧୋନୀଙ୍କ ଜନ୍ମଦିନର ଭିଡିଓ ଓ ଫଟୋ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ଷ୍ଟାର୍ କିପର ଋଷଭ ପନ୍ତ ବି ନଜର ଆସିଛନ୍ତି । ପନ୍ତ ଏବେ ଦଳ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି । ଏବେ ସେ ଟି୨୦ ସିରିଜ୍ ଖେଳିବେ । ସାକ୍ଷୀ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଧୋନୀ ଏକ ଜ୍ୟାକେଟ୍ ପିନ୍ଧିଛନ୍ତି । ଯାହା ଖୁବ୍ ଚମକୁଛି । ଧୋନୀଙ୍କ ପାଇଁ ଏକ ଜବରଦସ୍ତ କେକ୍ ମଧ୍ୟ ରହିଛି । ଧୋନୀ ପ୍ରଥମେ ମହମବତୀ ଲିଭାଇବା ସହ କେକ୍ କାଟୁଥିବା ନଜର ଆସିଛି । ଭିଡିଓର ବ୍ୟାକଗ୍ରାଉଣ୍ଡରେ ଗୀତ ମଧ୍ୟ ବାଜୁଛି ।
ମାହି ହେଉଛନ୍ତି ଝାଡଖଣ୍ଡର ପ୍ରଥମ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଯିଏକି ୨୩ ବର୍ଷ ବୟସରେ ଭାରତୀୟ ଦଳରେ ପାଦ ଦେଇଥିଲେ । ଏହି କ୍ରିକେଟର ଜଣଙ୍କ ବ୍ୟାଟିଂ ସୁଯୋଗ ହାତଛଡା କରିନଥିଲେ । ସେ ନିଜର ପଞ୍ଚମ ଦିନିକିଆ ୧୪୮ ଓ ପଞ୍ଚମ ଟେଷ୍ଟରେ ମଧ୍ୟ ୧୪୮ ରନ୍ ସ୍କୋର କରିଥିଲେ । ତାପରେ ସେ ଆଉ ପଛକୁ ଚାହିଁନଥିଲେ ।
ଧୋନୀଙ୍କୁ ବିସିସିଆଇର ପ୍ରତିଭା ଅନୁସନ୍ଧାନ ବିକାଶ ବିଭାଗ ସନ୍ଧାନ କରିଥିଲା । ତାଙ୍କ ପ୍ରତିଭା ଦେଖିବା ପରେ ବୟସ ସମ୍ବନ୍ଧ ନିୟମରେ ପରିବର୍ତ୍ତନ କରାଯାଇଥିଲା । ଦିଲୀପ ଭେଙ୍କସରକାର ହିଁ ଧୋନୀଙ୍କ ପ୍ରତିଭାକୁ ଚିହ୍ନିପାରିଥିଲେ । ଧୋନୀଙ୍କୁ ୨୧ ବର୍ଷରେ ଟିଆରଡିବ୍ଲୁରେ ସାମିଲ କରାଯାଇଥିଲେ । ଏଥିରେ ସାମିଲ ହେବାପାଇଁ ବୟସ ଥିଲା ୧୯ । କିନ୍ତୁ ଧୋନୀ ୨୧ ବର୍ଷର ହୋଇଯାଇଥିଲେ । ଧୋନୀଙ୍କ ପାଇଁ ନିୟମ କୋହଳ କରାଯାଇଥିଲା ।
ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଦେବା ପରେ ଧୋନୀଙ୍କୁ ଅଷ୍ଟ୍ରେଲିଆର ଓ୍ୱିକେଟକିପର୍ ଆଦାମ ଗିଲିଖ୍ରୀଷ୍ଟଙ୍କ ସହ ତୁଳନା କରାଯାଇଥିଲା । ମ୍ୟାଚର ଶେଷ ଓଭରରେ ଜିତାଇବାର କ୍ଷମତା ଧୋନୀଙ୍କର ରହିଥାଏ । ତିନି ବର୍ଷ ମଧ୍ୟରେ ଧୋନୀ ଟି୨୦ର ଅଧିନାୟକ ହୋଇଯାଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ଚାମ୍ପିଅନ ହୋଇଥିଲା । ଏହାପରେ ଭାରତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଉପରେ ବିଜୟ ଲାଭ କରିଥିଲା । ୨୦୦୯ରେ ଭାରତ ବିଶ୍ୱର ଏକ ନମ୍ବର ଟେଷ୍ଟ କ୍ରିକେଟ ଟିମ୍ ହୋଇଥିଲା ।
୨୦୧୧ରେ ଭାରତ ଧୋନୀଙ୍କ ନେତୃତ୍ୱରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲା । ଏପରିକି ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଭାରତ ଚାମ୍ପିଅନ ହୋଇଥିଲା । ତେବେ ୨୦୧୪ ଡିସେମ୍ବରରେ ଧୋନୀ ହଠାତ ଟେଷ୍ଟ ଟିମର ଅଧିନାୟକ ପଦ ଛାଡିଥିଲେ । ଏହାସହ ଟେଷ୍ଟ୍ କ୍ରିକେଟକୁ ଅଲବିଦା କହିଥିଲେ । ୨୦୧୭ରେ ସେ ଦିନିକିଆ ଅଧନାୟକ ପଦରୁ ଇସ୍ତଫା ଦେଇଥିଲେ । ୨୦୧୯ ଆରମ୍ଭରୁ ଧୋନୀ ସମାଲୋଚକଙ୍କ ଟାର୍ଗେଟରେ ରହିଥିଲେ । ଭାରତ ବିଶ୍ୱକପ୍ ସେମିଫାଇନାଲରେ ପରାସ୍ତ ହେବା ପରେ ଧୋନୀ କ୍ରିକେଟରୁ ଦୂରେଇ ଯାଇଥିଲେ । ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।ଶେଷରେ ୨୦୨୦, ଅଗଷ୍ଟ ୧୫ ତାରିଖରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏବାଏ କରିଥିଲେ ।
ଧୋନୀ ୩୫୦ଟି ଅନ୍ତରାଷ୍ଟ୍ରୀୟ ଦିନିକିଆରେ ୫୦.୫୭ ଆଭରେଜରେ ୧୦୭୭୩ ରନ୍ କରିଥିଲେ । ଏଥିରେ ୧୦ଟି ଶତକ ଓ ୭୩ଟି ଅର୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୩ । ସେ କିପର୍ ଭାବେ ୪୪୪ଜଣଙ୍କୁ ଆଉଟ୍ କରିଛନ୍ତି । ଙାସହ ସେ ୯୦ଟି ଟେଷ୍ଟରେ ୪୮୭୬ ରନ୍ କରିଥିବା ବେଳେ ୯୮ଟି ଟି୨୦ରେ ୧୬୧୭ ରନ୍ କରିଛନ୍ତି ।