ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ
ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳ ବୁଧବାର ଦିନ ୧ଟାରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ ।
ବୁଧବାର ଦିନ ବୋର୍ଡ କାର୍ଯ୍ୟାଳୟ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ , ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ-୨୦୨୨ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିବେ । ଦିନ ୨ଟାରେ ଏହି ପରୀକ୍ଷାଫଳ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ଓ www.odisharesult. nic. inରେ ଉପଲବ୍ଧ ହେବ । ଯେଉଁ ଅଂଚଳରେ ଇଂଟରନେଟ୍ ସଂଯୋଗ ନାହିଁ, ସେସବୁ ଅଂଚଳର ଛାତ୍ରଛାତ୍ରୀ ଏସ୍ଏମ୍ଏସ୍ ଜରିଆରେ ଫଳାଫଳ ଜାଣିପାରିବେ । ସେମାନେ ଓଆର୧୦ ସ୍ପେଶ୍ ରୋଲ୍ ନଂ ଲେଖି ୫୬୭୬୭୫୦ ନମ୍ବରକୁ ମେସେଜ୍ କରି ରେଜଲ୍ଟ ଜାଣିପାରିବେ । ବୋର୍ଡ ଉପସଭାପତି ଡକ୍ଟର ନିହାରରଞ୍ଜନ ମହାନ୍ତି ସୂଚନା ଦେଇ କହିଛନ୍ତି ପରୀକ୍ଷାଫଳରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଛାତ୍ରଛାତ୍ରୀ ରିଚେକିଂ ଓ ରିଆଡିସନ ପାଇଁ ଆବେଦନ କରିପାରିବେ । ଫଳ ପ୍ରକାଶ ପରେ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କାଉନ୍ସେଲିଂ ବ୍ୟବସ୍ଥା କରାଯାଇଛି ।