ଡରାଇଲାଣି କରୋନା; କଟକରେ ମାସ୍କ ବାଧ୍ୟତାମୂଳକ
କଟକ : ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏହାର ନିୟନ୍ତ୍ରଣ ସକାଶେ ଶନିବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । କଟକରେ ଲୋକେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ସିଏମସି ପକ୍ଷରୁ ଘୋଷଣା କରାଯାଇଛି ।
କଟକରେ ରହୁଥିବା ଲୋକେ ଓ ବାହାରୁ ଆସୁଥିବା ଲୋକେ ମାସ୍କ ପିନ୍ଧିବାକୁ ବାଧ୍ୟ । ବାହାରକୁ ଯାଉଥିବା ବେଳେ କିମ୍ବା ସର୍ବସାଧାରଣରେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି । ସେହିଭଳି ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କଠାରୁ ୨ ମିଟର ସାମାଜିକ ଦୂରତା ରକ୍ଷା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ମଲ୍, ଦୋକାନଗୁଡିକରେ ଲୋକେ ଯେପରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରଖିବେ ତାହାର ଦାୟିତ୍ୱ ସଂପୃକ୍ତ ଅନୁଷ୍ଠାନ ମାଲିକଙ୍କ ଉପରେ ନ୍ୟସ୍ତ କରାଯାଇଛି । କଟକଣା ଉଲ୍ଲଙ୍ଘନ ହେଲେ ସଂପୃକ୍ତ ପ୍ରତିଷ୍ଠାନର ମାଲିକ ଦାୟୀ ରହିବେ ବୋଲି କୁହାଯାଇଛି । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡିକରେ କର୍ମଚାରୀ ମାନେ ଯେପରି କଟକଣା ପାଳନ କରିବେ ସେଥିନିମନ୍ତେ ସଂପୃକ୍ତ କର୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ନେବାକୁୁ କୁହାଯାଇଛି । ଛିଙ୍କିବା ଓ କାସିବା ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କେହି ଏହାର ଉଲ୍ଲଙ୍ଘନ କଲେ କରୋନା ସଂକ୍ରମଣ ନିୟନ୍ତ୍ରଣ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।