ପଞ୍ଚମ ଟେଷ୍ଟ : ପ୍ରଥମ ଦିନ ଶେଷ ସୁଦ୍ଧା ଭାରତର ସ୍କୋର ୩୩୮/୭
ବର୍ମିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଜାରି ରହିଛି । ଶୁକ୍ରବାର ପ୍ରଥମ ଦିନର ଖେଳରେ ଭାରତୀୟ ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ଦମଦାର ଶତକ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ମ୍ୟାଚ ଶେଷ ସୁଦ୍ଧା ଭାରତ ସ୍କୋର ୩୩୮/୭ ରହିଛି ।
ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ପାଲଟିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଇଂଲଣ୍ଡ ବିପକ୍ଷରେ ଉଭୟ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଇଂଲଣ୍ଡର ଦମଦାର ବୋଲିଂରେ ଏକଦା ୯୮ ରନରେ ୫ ୱିକେଟ ହରାଇ ସଂଘର୍ଷ କରୁଥିଲା ଟିମ ଇଣ୍ଡିଆ । କିନ୍ତୁ ଏହି ସମୟରେ ଦଳ ପାଇଁ ସଙ୍କଟ ମୋଚକ ଭାବେ ଉଭା ହୋଇଛନ୍ତି ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା । ଉଭୟ ଯୋଡି ମଇଦାନରେ ଏକ ବଡ ଭାଗିଦାରୀ ଗଢିବାରେ ସଫଳ ହୋଇଛନ୍ତି । ଗୋଟିଏ ପଟେ ରବିନ୍ଦ୍ର ଜାଡେଜା ଠିଆ ହୋଇ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆକ୍ରମଣାତ୍ମକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ପନ୍ତ । ୮୯ ବଲରୁ ୧୫ ଚୌକା ଏବଂ ଗୋଟିଏ ଛକା ସହ ସେ ଏକ ଧୂଆଁଧାର ଶତକ ହାସଲ କରିଛନ୍ତି । ଏହା ସହିତ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଛନ୍ତି ଏହି ୱିକେଟ କିପର ବ୍ୟାଟ୍ସମ୍ୟାନ ।
ଅନ୍ୟ ପକ୍ଷରେ ପନ୍ତଙ୍କ ଖୁବ ସାଥ ଦେଇଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ୧୦୯ ବଲ ଖେଳି ଜାଡେଜା ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି । ବିପର୍ଯ୍ୟସ୍ତ ବ୍ୟାଟିଂ ଲାଇନ ଅପକୁ ସଜାଡିବାରେ ସଫଳ ହାସଲ କରିଛି ଏହି ଯୋଡି । ଭାରତୀୟ ଇନିଂସର ଷଷ୍ଠ ୱିକେଟ ପାର୍ଟନରସିପ ପାଇଁ ୨୦୦ରୁ ଅଧିକ ରନ ସଂଗ୍ରହ କରିବାରେ ଉଭୟ ଖେଳାଳି ସଫଳତା ପାଇ ସାରିଛନ୍ତି । ଇଂଲଣ୍ଡର ବୋଲର ପ୍ରଥମରୁ ଟିମ ଇଣ୍ଡିଆ ଉପରେ ଚାପ ପକାଇ ରଖିଥିଲେ । ଜିମି ଆଣ୍ଡରସନ ଏବଂ ମ୍ୟାଟି ପଟସ ଭାରତୀୟ ଦଳର ଟପ ଅର୍ଡରକୁ ନଷ୍ଟ କରି ଦେଇଥିବା ବେଳେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଖୁବ ବିଚଳିତ କରାଇଥିଲେ । ଫଳରେ କୌଣସି ବ୍ୟାଟ୍ସମ୍ୟାନ ୨୦ ଉପରକୁ ଯିବା ସମ୍ଭବ ହୋଇ ପାରି ନଥିଲା ।