ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଦେ, ଉପ-ମୁଖ୍ୟମନ୍ତ୍ରୀ ହେଲେ ଫଡନାଭିସ
ମୁମ୍ବାଇ: ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ପାଠ ପରେ ସିନ୍ଦେ ନିଜ ଟ୍ୱିଟର ପ୍ରୋଫାଇଲର ଫଟୋ ପରିବର୍ତନ କରିଛନ୍ତି । ସେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଗୋଡ଼ ତଳେ ବସିଥିବା ବେଳର ଫଟୋକୁ ନିଜ ପ୍ରୋଫାଇଲ ଛବି ଭାବେ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ସେହିପରି ଆରମ୍ଭରୁ ସିନ୍ଦେ ସରକାରର ଅଂଶବିଶେଷ ହେବେ ନାହିଁ ବୋଲି କହୁଥିବା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଶେଷ ମୁହୂର୍ତରେ ୟୁ-ଟର୍ଣ୍ଣ ନେଇଛନ୍ତି । ସେ ସିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ । ଆଜି ତାଙ୍କୁ ବି ରାଜ୍ୟପାଳ କୋଶୟାରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ମହାରାଷ୍ଟ୍ରରେ ଗୁରୁବାର ଠାରୁ ସିନ୍ଦେ ସରକାର ଆରମ୍ଭ ହୋଇଥିଲେ ହେଁ କୌଣସି ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି । ପରବର୍ତୀ ସମୟରେ ସିନ୍ଦେ ସରକାର ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ । ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟିବା ପରେ ଫଡନାଭିସ କହିଥିଲେ ଯେ ସିନ୍ଦେ ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଠନ କରିବେ । ସେ କୌଣସି ପ୍ରକାରରେ ବି ମହାରାଷ୍ଟ୍ର ସରକାରର ଅଂଶବିଶେଷ ହେବେ ନାହିଁ । ସେ କେବଳ ବାହାରେ ରହି ସରକାର କେମିତି ଠିକ୍ ଭାବେ ଚାଲିବ, ତା’ର ତଦାରଖ କରିବେ । ହେଲେ ଶପଥ ପାଠର କିଛି ମିନିଟ୍ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ କରି ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମ୍ପର୍କରେ ସୂଚନା ଦେଇଥିଲେ । ସତକୁ ସତ ଫଡନାଭିସ ମଧ୍ୟ ସିନ୍ଦେଙ୍କ ଡେପୁଟି ଭାବେ ଶପଥ ନେଇଛନ୍ତି । ଶ୍ରୀ ନଡ୍ଡା ଟ୍ୱିଟ କରି କହିଥିଲେ ଯେ ବିଜେପି ମହାରାଷ୍ଟ୍ରର ଭଲ ପାଇଁ ବଡ଼ ହୃଦୟର ପରିଚୟ ଦେଇଛି । ଏଥିପାଇଁ ଏକନାଥ ସିନ୍ଦେଙ୍କୁ ଦଳ ସମର୍ଥନ କରିବାକୁ ନିଷ୍ପତି ନେଇଛି । ଦେବେନ୍ଦ୍ର ଫଡନାଭିସ ମଧ୍ୟ ବଡ଼ ମନର ପ୍ରଦର୍ଶନ କରି ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ନିର୍ଣ୍ଣୟ ନେଇଛନ୍ତି । ମହାରାଷ୍ଟ୍ରର ଲୋକଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା ଏହି ନିଷ୍ପତିରୁ ସ୍ପଷ୍ଟ ହେଉଛି ବୋଲି ଶ୍ରୀ ନଡ୍ଡା କହିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ କରି ନଡ୍ଡାଙ୍କ କଥାରେ ଫଡନାଭିସ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିବା କଥା କହିଛନ୍ତି ।