ମହାରାଷ୍ଟ୍ର ରାଜନୈତିକ ସଙ୍କଟ; ଉଭୟ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ । ଶିବସେନାର ବିଦ୍ରୋହୀ ମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ଉପରେ ସୋମବାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଶିବସେନାର ଉଦ୍ୟମ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏକନାଥ ସିନ୍ଦେ । ଏହି ଶୁଣାଣି ସମୟରେ ଆପଣମାନେ ପ୍ରଥମେ ହାଇକୋର୍ଟକୁ କାହିଁକି ଗଲେନାହିଁ ବୋଲି ସୁପ୍ରିମକୋର୍ଟ ପଚାରିବାରୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ନୀରଜ କେ କେଲ୍ କହିଥିଲେ- ମୁମ୍ବାଇରେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ।
ତେବେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ଏବେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଆବେଦନକୁ ନେଇ ସୁପ୍ରିମକୋର୍ଟ ପ୍ରାୟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ସମସ୍ତ ପକ୍ଷଙ୍କୁ ପାଂଚ ଦିନ ମଧ୍ୟରେ ଦିଆଯାଇଥିବା ନୋଟିସର ଜବାବ ଦେବାକୁ କୁହାଯାଇଛି । ତେବେ ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୧୧ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଉପବାଚସ୍ପତି, ବିଧାନସଭା ସଚିବ, କେନ୍ଦ୍ର ସରକାର, ମହାରାଷ୍ଟ୍ର ପୁଲିସ, ଶିବସେନା ବିଧାୟକ ଦଳର ନେତା ଅଜୟ ଚୌଧୁରୀ, ସୁନୀଲ ପ୍ରଭୁଙ୍କୁ ନୋଟିସରେ ପକ୍ଷ ଭୁକ୍ତ କରାଯାଇଛି ।