ଆଜିଠୁ ଜର୍ମାନୀ ଓ ସଂଯୁକ୍ତ ଆରବ ଏମିରେଟ୍କୁ ୩ ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଜି-୭ ଶିଖର ବୈଠକରେ ଯୋଗଦେବେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଠାରୁ ଜର୍ମାନୀ ଓ ସଂଯୁକ୍ତ ଆରବ ଏମିରେଟ୍କୁ ତିନିଦିନିଆ ଗସ୍ତରେ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବେ । ରବିବାର ଓ ସୋମବାର ଜି-୭ ଶିଖର ବୈଠକ ଅନୁଷ୍ଠିତ ହେବ । ଜି-୭ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍ ଓ ଆମେରିକା ଅଛନ୍ତି । ଜର୍ମାନୀ ବର୍ତମାନ ଏହାର ଅଧ୍ୟକ୍ଷ ରହିଛି । ଭାରତ ଓ ଜର୍ମାନୀ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଭିତିରେ ଭାରତକୁ ଜି-୭ ଶିଖର ବୈଠକକୁ ଆମନ୍ତ୍ରଣ କରାଯାଇଛି ।
ବିଦେଶ ଗସ୍ତ ଯିବା ପୂର୍ବରୁ ଏକ ବିବୃତିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜର୍ମାନୀ ଚାନ୍ଲେସଲର ଓଲାଫ୍ ସୋଲଜ୍ଙ୍କ ସହ ପୁନର୍ବାର ସାକ୍ଷାତ ଆଲୋଚନା ହେବାକୁ ଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି । ଗତ ମାସରେ ଭାରତ-ଜର୍ମାନୀ ଆନ୍ତଃ ସରକାରୀ କଥାବାର୍ତା ହୋଇଥିଲା । ଶ୍ରୀ ମୋଦୀ କହିଛନ୍ତି, ଜର୍ମାନୀ ଚାନ୍ସେଲରଙ୍କ ଆମନ୍ତ୍ରଣ କ୍ରମେ ସେ ଜି-୭ ଶିଖର ବୈଠକରେ ଯୋଗଦେବାକୁ ଯାଉଛନ୍ତି । ବିଶ୍ୱର କଲ୍ୟାଣ ପାଇଁ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବା ଲକ୍ଷ୍ୟରେ ଜର୍ମାନୀ’ ଆର୍ଜେଂଟିନା, ଇଣ୍ଡୋନେସିଆ, ସେନେଗଲ୍ ଓ ଦକ୍ଷିଣ ଆଫ୍ରିକା ଭଳି ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଜି-୭ ଶିଖର ବୈଠକକୁ ଆମନ୍ତ୍ରଣ କରିଛି । ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଜି-୭ ସଦସ୍ୟ ଦେଶଗୁଡ଼ିକର ନେତୃବୃନ୍ଦ ଓ ଶିଖର ବୈଠକକୁ ଆମନ୍ତ୍ରିତ ଦେଶଗୁଡ଼ିକର ନେତାମାନଙ୍କ ସହ ଦ୍ୱିପକ୍ଷୀୟ ଆଲାଚନା କରିବେ । ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି ପ୍ରଧାନମନ୍ତ୍ରୀ ସୋମବାର ଦିନ ଜି-୭ ଶିଖର ବୈଠକର ଦୁଇଟି ଅଧିବେଶନରେ ଅଂଶଗ୍ରହଣ କରିବେ । ପ୍ରଥମ ଅଧିବେଶନ ଜଳବାୟୁ, ଶକ୍ତି ଓ ସ୍ୱାସ୍ଥ୍ୟ ଉପରେ ହେବାକୁ ଥିବାବେଳେ ଦ୍ୱିତୀୟ ଅଧିବେଶନ ଖାଦ୍ୟ ସୁରକ୍ଷା ଓ ପୁରୁଷ ମହିଳା ସମାନତା ବିଷୟ ଉପରେ ହେବ । ଶ୍ରୀ ମୋଦି ଜର୍ମାନୀରେ ଥିବା ପ୍ରବାସୀ ଭାରତୀୟମାନଙ୍କ ସହ ବାର୍ତାଳାପ କରିବାର କାର୍ଯ୍ୟସୂଚୀ ରହିଛି । ଜି-୭ ଶିଖର ବୈଠକରେ ଯୋଗ ଦେଇସାରି ପ୍ରଧାନମନ୍ତ୍ରୀ ୨୮ ତାରିଖ ଦିନ ସଂଯୁକ୍ତ ଆରବ ଏମିରେଟ୍ ଗସ୍ତ କରିବେ । ସେଠାରେ ସେ ସଂଯୁକ୍ତ ଆରବ ଏମିରେଟ୍ର ପୂର୍ବତନ ରାଷ୍ଟ୍ରପତି ଶେଖ୍ ଖଲିଫା ଜୟେଦ୍ ଅଲ୍ ନାହିୟେଙ୍କ ବିୟୋଗରେ ସମବେଦନା ଜ୍ଞାପନ କରିବେ । ଏହାବ୍ୟତୀତ ସଂଯୁକ୍ତ ଆରବ ଏମିରେଟ୍ର ନୂଆ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହିୟେଙ୍କୁ ସେ ଅଭିନନ୍ଦନ ଜଣାଇବେ । ସେହିଦିନ ରାତିରେ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ।