ଦିଲ୍ଲୀରେ କ୍ରମାଗତ ୪ର୍ଥ ଦିନରେ ୧ ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ଓ ୩ ମୃତ
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ଭାଇରସ ଉପରମୁହାଁ ହୋଇଛି। ଲଗାତାର ୪ର୍ଥ ଦିନରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୫୩୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏବେ ପଜିଟିଭିଟି ଦର ୭.୭୧ ପ୍ରତିଶତ ହୋଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯, ୮୮୮ ଜଣଙ୍କ ନମୁନା ଟେଷ୍ଟ କରାଯାଇଥିଲା। ଏହି ସମୟ ମଧ୍ୟରେ ୧୨୫୫ ଲୋକ ସୁସ୍ଥ ହୋଇଛନ୍ତି। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୯ରେ ପହଞ୍ଚିଛି। ଶନିବାର ୪ର୍ଥ ଦିନରେ କରୋନା ସଂକ୍ରମଣ ୧ ହଜାରରୁ ଊର୍ଦ୍ଧ୍ୱ ରହିଛି।
ଶୁକ୍ରବାର୧୭୯୭ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିଲେ। ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ଦିଲ୍ଲୀରେ କରୋନାର ୧୩୨୩ ମାମଲା ଚିହ୍ନଟ ହୋଇଥିଲା। ସେହିପରି କଣ୍ଟେନମେଣ୍ଟ ଜୋନ ସଂଖ୍ୟା ମଧ୍ୟ ୧୯୦ ଅତିକ୍ରମ କରିଛି। ଦିଲ୍ଲୀରେ ବିଗତ କିଛି ଦିନ ହେବ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ରୋଗୀମାନଙ୍କର ସଂଖ୍ୟା ମଧ୍ୟ ବଢ଼ିଛି। ତେଣୁ ସରକାର ଓ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦିଓ ମାମଲା ଅଧିକ ବଢ଼ିଛି, ତଥାପି ଗୁରୁତର ଲକ୍ଷଣ ଦେଖାଯାଉ ନାହିଁ। କାରଣ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁନାହିଁ। ଯେଉଁ ସଂକ୍ରମଣ ଚିହ୍ନଟ ହେଉଛି, ତାହା ଓମିକ୍ରନର ସବଭାରିଆ ବୋଲି ସରକାର କହିଛନ୍ତି।