‘ଅଗ୍ନିପଥ’ ଯୋଜନାରେ ବୟସସୀମା ୨୧ରୁ ୨୩କୁ ବୃଦ୍ଧି , ତଥାପି ଜାରି ରହିଛି ବିରୋଧ
ନୂଆଦିଲ୍ଲୀ : ତୀବ୍ର ବିରୋଧ ପରେ ସରକାରଙ୍କ ଚେତା ପଶିଛି । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ‘ଅଗ୍ନିପଥ ଯୋଜନା’କୁ ନେଇ ସବୁଠି ବିରୋଧ ବଢ଼ିବାରେ ଲାଗିଛି । ଏଥିରେ ଥିବା ଚାକିରି ସର୍ତ୍ତାବଳୀକୁ ନେଇ ଯୁବ ଗୋଷ୍ଠୀ ବିଭିନ୍ନ ସ୍ତାନରେ ପ୍ରତିବାଦ କରୁଛନ୍ତି । ତେବେ ବର୍ତ୍ତମାନ ବିରୋଧ ପରେ କେନ୍ଦ୍ର ସରକାର ଚାକିରି ନିୟମକୁ ପରିବର୍ତ୍ତନ କରିଛନ୍ତି। ମୁଖ୍ୟତଃ ଏହି ଯୋଜନାରେ ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି। ପୂର୍ବରୁ ସେନାରେ ପ୍ରବେଶ ପାଇଁ ବୟସ ଯୋଗ୍ୟତା ୧୭.୫ରୁ ୨୧ ବର୍ଷ ରଖାଯାଇଥିଲା । ଯାହାକି ଆଶାୟୀଙ୍କୁ ପସନ୍ଦ ଆସିନଥିଲା । ଏହି ଯୋଜନାକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି।
ମୁଖ୍ୟତଃ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳୁଛି । ଅଗ୍ନିପଥ ଯୋଜନାରେ ୪ ବର୍ଷିଆ ସ୍କିମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେନାର ଆଶାୟୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତକାଲି ବିହାରରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଛାତ୍ର ଗୋଷ୍ଠୀ ଟ୍ରେନ୍ ଜାଳିଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଫଳରେ ଅନେକ ସ୍ଥାନରେ ଟ୍ରେନ୍ ଚଳାଚଳରେ ବାଧା ଉପୁଜିଛି ।
ତେବେ ଅଗ୍ନିପଥ ଯୋଜନାରେ କେନ୍ଦ୍ର ସରକାର ଚାକିରି ଅବଧି ମାତ୍ର ୪ ବର୍ଷ ରଖିଥିବା ବେଳେ ସେଥିରୁ ୨୫ ପ୍ରତିଶତ ପିଲାଙ୍କୁ ଯୋଗ୍ୟତାଭିତ୍ତିରେ ପୂର୍ଣ୍ଣକାଳୀନ ଚାକିରି ପାଇଁ ସୁଯୋଗ ମିଳିବ।ତେବେ ଯେଉଁମାନେ ବାଦ ପଡ଼ିବେ ସେମାନଙ୍କୁ ପେନ୍ସନ୍ କିମ୍ବା ସରକାରଙ୍କ ପ୍ରଦତ୍ତ ଅନ୍ୟ କୌଣସି ସହାୟତା ମିଳିବ ନାହିଁ। ଯାହାକୁ ନେଇ ଚାକିରି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।