ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ : ୧୧ଟି ଜିଲାର ଜିଲାପାଳଙ୍କ ସମେତ ୩ ମହାନଗର ନିଗମ କମିଶନରଙ୍କ ବଦଳି
ଭୁବନେଶ୍ୱର : ରାଜ୍ୟ ସରକାର ଗୁରୁବାର ଜିଲାପାଳ ଓ ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୧ଟି ଜିଲାର ଜିଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ମଧ୍ୟ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।
ଜାରି ବିଜ୍ଞପ୍ତି ଅନୁସାରେ ୨୦୧୦ ବ୍ୟାଚ୍ ଆଇଏଏସ୍ ତଥା ଦେବଗଡ଼ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବାବେଳେ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡିଙ୍କୁ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକ୍ଟ ନିର୍ଦ୍ଦେଶକ ଥିବା ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେହିପରି ବାଲେଶ୍ୱର ଜିଲାର ସୁଦର୍ଶନ ଚକ୍ରବର୍ତୀଙ୍କୁ ଖୋର୍ଦ୍ଧା ଜିଲାପାଳ ଭାବେ ଓ ବର୍ତମାନର ଖୋର୍ଦ୍ଧା ଜିଲାପାଳ ଓଏଏସ୍ ସଂଗ୍ରାମ କୁମାର ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ସେହିପରି ସୁନ୍ଦରଗଡ଼ ଜିଲାପାଳ ଆଇଏଏସ୍ ନିଖିଳ ପବନ କଲ୍ୟାଣଙ୍କୁ କଟକ ମ୍ୟୁନିସପାଲଟି କମିଶନର ଭାବେ ବଦଳି ହୋଇଛି । ସେ କଟକ ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ଗଞ୍ଜାମ ଜିଲାପାଳ ତଥା ୨୦୧୩ ବ୍ୟାଚ୍ ଆଇଏଏସ୍ କୁଲାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ କମିଶନର ପଦବୀକୁ ଯୁଗ୍ମ ସଚିବ ପାହ୍ୟା ସହ ସମାନ କରାଯାଇଛି । ଏହାସହିତ ସେ କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଓ ବିଏସସିଏଲ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଆଇଏଏସ ମଧୁସ୍ମତା ସାହୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ, ଭାବେ ବଦଳି ହୋଇଛନ୍ତି । କଳାହାଣ୍ଡି ଜିଲାପାଳ ଆଇଏଏସ୍ ଡଃ ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲାପାଳ ଭାବେ ବଦଳି କରାଯାଇଛି । ନୂଆପଡ଼ା ଜିଲାପାଳ ଆଇଏଏସ୍ ସ୍ୱଧା ଦେବ ସିଂଙ୍କୁ ରାୟଗଡ଼ା ଜିଲାପାଳ ଓ ରାୟଗଡ଼ାରେ ଜିଲାପାଳ ଥିବା ବରିଷ୍ଠ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସହ ଗୃହ ବିଭାଗ (ପ୍ରୋଟୋକଲ) ଦାୟିତ୍ୱ ମିଳିଛି । କଟକ ମହାନଗର ନିଗମ କମିଶନର ଆଇଏଏସ୍ ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲାପାଳ ଓ ସମ୍ବଲପୁର ଜିଲାପାଳ ଥିବା ଆଇଏଏସ୍ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲାପାଳ ଭାବେ ବଦଳି ହୋଇଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ଆଇଏଏସ୍ ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କୁ ଭଦ୍ରକ ଜିଲାପାଳ ଭାବେ ବଦଳି କରାଯାଇଛି । ସେହିପରି ଭଦ୍ରକରେ ଥିବା ଓଏଏସ୍ ତ୍ରିଲୋଚନ ମାଝୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି । ସେହିପରି ଗଞ୍ଜାମରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଆଇଏଏସ୍ ଦତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ବାଲେଶ୍ୱର ଜିଲାପାଳ ଭାବେ ବଦଳି ହୋଇଛି । କଳାହାଣ୍ଡି ଜିଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲାପାଳ, ମୟୂରଭଞ୍ଜ ଜିଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ୨୦୧୭ ବ୍ୟାଚର ଆଇଏଏସ୍ ପି ଅନଭେଶା ରେଡ୍ଡୀଙ୍କୁ କଳାହାଣ୍ଡି ଜିଲାପାଳ, ବାଲେଶ୍ୱର ଉପଜିଲାପାଳ ଆଇଏସଏସ୍ ପାଟିଲ ଆଶୀଷ ଈଶ୍ୱରଙ୍କୁ କନ୍ଧମାଳ ଜିଲାପାଳ, କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସଏଙ୍କୁ ନୂଆପଡ଼ା ଜିଲାପାଳ, ବ୍ରହ୍ମପୁର ଉପଜିଲାପାଳ ୨୦୧୮ ବ୍ୟାଚ ଆଇଏଏସ୍ କୀର୍ତି ଭାସନଙ୍କୁ ଗଞ୍ଜାମ ଜିଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସମ୍ବଲପୁର ଉପଜିଲାପାଳ ଆଇଏଏସ୍ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର, ଗୁଣୁପୁର ଉପଜିଲାପାଳ ୨୦୧୮ ବ୍ୟାଚ୍ ଆଇଏଏସ୍ ଜେ. ସୋନାଲଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଓ ନବରଙ୍ଗପୁର ଉପଜିଲାପାଳ ୨୦୧୯ ବ୍ୟାଚ ଆଇଏଏସ୍ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅନୁସଚିବ ଭାବେ ବଦଳି କରାଯାଇଛି ।