ବାଲେଶ୍ୱର : କରୋନା ସମୟରେ ରାସନ ସାମଗ୍ରୀ ‘ହୋମ ଡେଲିଭରି’ କରାଯାଉ
- ଜିଲାପାଳଙ୍କୁ ଭାଜପା ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ଚିଠି
ବାଲେଶ୍ୱର : ବିଶ୍ୱ ତଥା ଦେଶ ଓ ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ନିଜର କାୟା ବିସ୍ତାର କରିବା ସହ ଆତଙ୍କ ଖେଳାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ମଧ୍ୟ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ଲୋକମାନଙ୍କୁ ପ୍ରଶାସନ ତଥା ସାମାଜିକ ସଙ୍ଗଠନମାନଙ୍କ ପକ୍ଷରୁ ମାସ୍କ ପିନ୍ଧିବା, ସାନିଟାଇଜ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ନେଇ ସଚେତନତା କରାଯାଉଛି । ମାତ୍ର କିଛି ଅମାନିଆ ଲୋକେ ଏହାକୁ ମାନୁ ନାହାନ୍ତି । ଫଳରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏଭଳି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ପାଇଁ ମାଗଣା ରାସନ ପ୍ରଦାନ କରୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଯେତିକି ରାସନ ପ୍ରଦାନ କରୁଛନ୍ତି ତାହା ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ôଚପାରୁ ନାହିଁ । ଏଥିସହିତ କରୋନା ସମୟରେ ଯେଉଁଭଳି ଭାବେ କଣ୍ଟ୍ରୋଲ ଦୋକାନ ସମ୍ମୁଖରେ ଭିଡ଼ ହେଉଛି, ସେହି ସ୍ଥାନରେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହୁଛି । ଫଳରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାଲେଶ୍ୱର ସଦର ଭାଜପାର ଏକ ପ୍ରତିନିଧି ଦଳ ବିଭିନ୍ନ କଣ୍ଟ୍ରୋଲ ଦୋକାନକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ ।
ଏନେଇ ସୋମବାର ଶ୍ରୀ ଦତ୍ତ ବାଲେଶ୍ୱର ଜିଲାପାଳଙ୍କୁ ଏକ ଚିଠି ମାଧ୍ୟମରେ ବିଭିନ୍ନ ଦାବୀ ଉପସ୍ଥାପନା କରିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, କଣ୍ଟ୍ରୋଲ ଦୋକାନ ସମ୍ମୁଖରେ ରାସନ ସାମଗ୍ରୀ ପାଇଁ ଲୋକମାନେ କରୋନା କଟକଣା ନିୟମକୁ ଉଲ୍ଲଂଘନ କରୁଛନ୍ତି । ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖାନଯାଇ ଭିଡ଼ ଜମି ରହୁଛି । ଫଳରେ ସେଠାରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହୁଛି । ତେଣୁ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଅବିଳମ୍ବେ ରାସନ ସାମଗ୍ରୀ ‘ହୋମ ଡେଲିଭରି’ କରାଯାଉ ବୋଲି ଶ୍ରୀ ଦତ୍ତ ଦାବି କରିଛନ୍ତି । ଏହା ଦ୍ୱାରା କୋଭିଡ ନିୟମାବଳୀର ପାଳନ ହେବା ସହ ଗହଳି ହେବ ନାହିଁ । ଅନ୍ୟପକ୍ଷରେ ମହାମାରୀ କରୋନା ସମୟରେ ଗରିବ ଲୋକଙ୍କ ପାଇଁ କେନ୍ଦ୍ରସରକାର ଦେଉଥିବା ମାଗଣା ରାସନରେ ଯେଉଁଭଳି କଟ୍ନୀ ହେଉଛି ତାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଏହା ଏକ ଜଘନ୍ୟ ଅପରାଧ । ତେଣୁ ବିନା ସରକାରୀ ଅନୁମତିରେ, ଗ୍ରାମରୁ ସହର ସବୁଠି ଲୋକଙ୍କ ରାସନ କାଟିବା ବିରୁଦ୍ଧରେ ରାଜ୍ୟ ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମଧ୍ୟ ଶ୍ରୀ ଦତ୍ତ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ସତ୍ୟଜିତ ମିଶ୍ର, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଶଶିସେଖର ମହାନ୍ତି, ମାଧବାନନ୍ଦ ସାହୁ, ବିକାଶ ପାଢ଼ୀ, ଧୀରଜ ମହାନ୍ତି, ଭାଗ୍ୟରନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ସଦର ଭାଜପା ମିଡିଆ ସଂଯୋଜକ ଅରୁପ ଜେନା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।