ବାରବାଟୀ ଟି-୨୦ : ଭୁବନେଶ୍ୱରରେ ପହଞ୍ଚିଲେ ୨ ଦେଶର ଖେଳାଳି
ଭୁବନେଶ୍ୱର : ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ବସ୍ ଯୋଗେ ୨ ଦେଶର ଖେଳାଳି ମେ’ ଫେୟାର ହୋଟେଲରେ ପହଞ୍ଚିଛନ୍ତି । ସେଠାରେ ନୃତ୍ୟ ଓ ପାରମ୍ପରିକ ଢଙ୍ଗରେ ଉଭୟ ଦେଶର ଖେଳାଳିଙ୍କୁ ସ୍ୱାଗତ କରାଯାଇଛି । ଦୁଇଟି ଅତ୍ୟାଧୁନିକ ଓ ଉନ୍ନତମାନର ବସ୍ ଯୋଗେ ହୋଟେଲ ମେଫେୟାରକୁ ଖେଳାଳିମାନଙ୍କୁ ଅଣାଯିବ।
ବିମାନବନ୍ଦରଠାରୁ ହୋଟେଲ ଯାଏଁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କୁ ବିମାନ ବନ୍ଦରରୁ ଆଣିବା ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ସ୍ୱାଗତ ପାଇଁ ହୋଟେଲ ମେ’ ଫେୟାରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ତେବେ ଖେଳାଳିଙ୍କ ସୁରକ୍ଷା ଏବଂ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ରହଣି ପାଇଁ ମେ ଫେୟାର ପ୍ରସ୍ତୁତ ରହିଛି। ଖେଳାଳିଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ। ଖେଳାଳି ପହଁଚିବା ପୂର୍ବରୁ ଭୁବନେଶ୍ୱର ଡିସିପି ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । କିଭଳି ଖେଳାଳିଙ୍କୁ କର୍ଡନ କରି ହୋଟେଲ ପର୍ୟ୍ୟନ୍ତ ନିଆଯିବ ସେ ନେଇ ରୁଟ୍ ମ୍ୟାପ ପ୍ରସ୍ତୁତ କରିଥିଲେ । ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ମୁତୟନ ହୋଇଛନ୍ତି ପୋଲିସ ।
ଖେଳାଳିଙ୍କ ଆଗମନରେ ସଜେଇ ହୋଇଛି ମେ ଫେୟାର ହୋଟେଲ୍। ଦୁଇ ଦଳକୁ ଭବ୍ୟ ସ୍ୱାଗତ କରିବେ ହୋଟେଲ କତ୍ତୃପକ୍ଷ। ହୋଟେଲ୍ରେ ପ୍ରବେଶ ବେଳେ ଯୋଡ଼ି ଶଙ୍ଖ, ଘୋଡ଼ା ନାଚ ଭଳି ବିଭିନ୍ନ ଓଡ଼ିଆ ପାରମ୍ପରିକ ବାଦ ବଜାଇ ଦୁଇ ଦଳର ଖେଳାଳିଙ୍କୁ ଅଣାଯିବ। ଏହାପରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ମିଠା ଓ କେକ୍ର ପ୍ଲେଟର ପ୍ରସ୍ତୁତ କରାଯାଇଛି। ଲୋ-କ୍ୟାଲୋରୀ ଥିବା ମିଠାକୁ ଖେଳାଳିଙ୍କୁ ଦିଆଯିବ। ପ୍ରତି ଖେଳାଳିଙ୍କ ଫଟୋକୁ ରଖି ଏହି ପ୍ଲାଟର ପ୍ରସ୍ତୁତ ହୋଇଛି। ଏହାପରେ ସ୍ବାସ୍ଥ୍ୟକର ଡ୍ରିଙ୍କସ୍, ଜୁସ୍, ସୁପ୍ ବ୍ୟବସ୍ଥା ହୋଇଛି। ସକାଳ ବ୍ରେକଫାଷ୍ଟଠୁ ଆରମ୍ଭ କରି ରାତିର ଡିନର୍ ଯାଏଁ ସବୁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଇଛି। ବ୍ରେକ୍ ଫାଷ୍ଟରେ ସାଉଥ୍ ଇଣ୍ଡିଆନ୍ ଜଳଖିଆ ଯେପରି ଦୋସା, ଇଡଲି, ଉତପମ୍, ପୁରୀ, ଚଟଣୀ ପରସା ଯିବ। ଏହି ଅବସରରେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ବି ହୋଇଛି। ଯେପରି ଚକୁଳି, କାକରା, ମଣ୍ଡା ଏବଂ ଛେନାପୋଡ଼ ଉଭୟ ଟିମ୍ର ଖେଳାଳିଙ୍କ ପାଇଁ ପରଷା ଯିବ। ସୁଗର୍ ଫ୍ରି ମିଠା ଏବଂ ଓଡ଼ିଶାର ଭଳିକି ଭଳି ମିଠା ବି ଖାଇବାକୁ ଦିଆଯିବ। ସେପଟେ ଖେଳାଳିଙ୍କ ସୁରକ୍ଷା ଲାଗି ହୋଟେଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କେବଳ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କ୍ରିକେଟରମାନେ ପ୍ରାକ୍ଟିସ ପାଇଁ କଟକ ଯିବାକୁ ଥିବାରୁ ସେମାନଙ୍କ ଯାତାୟତ ଲାଗି ସ୍ୱତନ୍ତ୍ର ଓ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଷ୍ଟାଡିୟମରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସୂଚନା ଯେ, ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍ ଖେଳାଯିବ । ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚର ଭାରତକୁ ପରାଜିତ ହୋଇଥିଲା ।