ନିଟ ପିଜି ସିଟ୍ ଫାଙ୍କା ନ ରଖିବା ପାଇଁ ମେଡିକାଲ କାଉନସେଲିଂ କମିଟିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଡାକ୍ତରୀ ଛାତ୍ରମାନଙ୍କ ଭବିଷ୍ୟତ ସହିତ ନ ଖେଳି ଗୋଟିଏ ବି ନିଟ ପିଜି ସିଟ୍ ଯେଭଳି ଫାଙ୍କା ନ ରହେ ସେଭଳି ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ମେଡିକାଲ କାଉନସେଲିଂ କମିଟିକୁ କହିଛନ୍ତି । ଅଦାଲତ କହିଛନ୍ତି ଯେ ମେଡିକାଲ କାଉନସେଲିଂ କମିଟି ଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ।
ଅଲ ଇଣ୍ଡିଆ କୋଟାର ପୂରଣ ନ ହୋଇ ଫାଙ୍କା ପଡିଥିବା ଆସନ ପାଇଁ ପ୍ରାର୍ଥୀମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦେବା ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ କାଉନସେଲିଂ କରିବାକୁ ଚାହୁଁଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଏମସିସିକୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ଜଷ୍ଟିସ୍ ଏମଆର ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ଅବକାଶକାଳୀନ ଖଣ୍ଡପୀଠ ଦିନକ ମଧ୍ୟରେ ସିଟ୍ କାହିଁକି ଖାଲି ଅଛି ତାହା ବୁଝାଇ ଏମସିସି ଏବଂ କେନ୍ଦ୍ରକୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ଗୁରୁବାର ଏହି ମାମଲାର ପରବର୍ତୀ ଶୁଣାଣି ହେବ । ଶୁଣାଣି ସମୟରେ ୧ ହଜାର ୪୫୬ଟି ଆସନ ଖାଲି ରହିଥିବା ଜାଣିବା ପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏମସିସି ପରାମର୍ଶଦାତା ଏହା ମଧ୍ୟ କହିଛନ୍ତି ଯେ ୨୦୨୨ କାଉନସେଲିଂ ବିଳମ୍ବ ହେବ ଏବଂ ଏହାର ପ୍ରଭାବ ପଡିବ । କାଉନସେଲିଂରେ କୌଣସି ଶୃଙ୍ଖଳିତ ପ୍ରକ୍ରିୟା କାହିଁକି ନାହିଁ ବୋଲି କୋର୍ଟ ପଚାରିବା ସହ ପ୍ରଶ୍ନ କରିଥିଲେ ଯେ ଆପଣ ଛାତ୍ରମାନଙ୍କ ମାନସିକ ଚାପ ସ୍ତର ଜାଣିଛନ୍ତି କି କୋର୍ଟ ପ୍ରଶ୍ନ କରିଥିଲେ ଯେ ଆମେ ଯେତେବେଳେ ଡାକ୍ତର ଏବଂ ସୁପର-ସ୍ପେଶାଲିଷ୍ଟ ଆବଶ୍ୟକ କରୁଚୁ ସେତେବେଳେ ସିଟ୍ ଖାଲି ରଖିଲେ ଆପଣ କ’ଣ ପାଇବେ?