ଫ୍ରେଂଚ ଓପନ ୨୦୨୨ : ଟାଇଟଲ୍ ଜିତିଲେ ଇଗା ସ୍ୱିଆତେକ
ନୂଆଦିଲ୍ଲୀ : ଇଗା ସ୍ୱିଆତେକ ଫ୍ରେଂଚ ଓପନ ୨୦୨୨ର ମହିଳା ଏକକ ଫାଇନାଲରେ ଯୁବ ଖେଳାଳି କୋକୋ ଗଫଙ୍କୁ ହରାଇ ରୋଲାଣ୍ଡ ଗ୍ୟାରୋସ ଟାଇଟଲ୍ ନିଜ ନାମରେ କରିଛନ୍ତି । ସ୍ୱିଆତେକଙ୍କ ଏହା ଦ୍ୱିତୀୟ ଫ୍ରେଂଚ ଓପନ ଟାଇଟଲ୍ । ପୋଲାଣ୍ଡର ଇଗା ସ୍ୱିଆତେକ ଆମେରିକାର ଯୁବ ଷ୍ଟାର କୋକୋ ଗଫଙ୍କୁ ୬-୧,୬-୩ ସେଟରେ ହରାଇଛନ୍ତି ।
୨୧ ବର୍ଷୀୟ ଇଗା ସ୍ୱିଆତେକ ପ୍ରତିପକ୍ଷ ଖେଳାଳି ଗଫଙ୍କୁ ମାତ୍ର ୬୮ ମିନିଟ ଗେମରେ ପରାସ୍ତ କରିଛନ୍ତି । ଇଗାଙ୍କ ଏହା ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲ୍ ମୁକାବିଲା ଥିଲା । ଏହା ପୂର୍ବରୁ ସେ ୨୦୨୦ରେ ଫ୍ରେଂଚ ଓପନ ଫାଇନାଲ୍ ମୁକାବିଲା ଖେଳିଥିଲେ ଏବଂ ଚାମ୍ପିଅନ ହୋଇଥିଲେ । ଆଜିର ବିଜୟ ସହ ଇଗା ଲଗାତାର ୩୫ ମ୍ୟାଚ୍ ଜିତି ମହାନ ମହିଳା ଟେନିସ୍ ଖେଳାଳି ଭେନସ ୱିଲିୟମସନଙ୍କ ରେକର୍ଡର ବରାବର କରିଛନ୍ତି । ମାରିଆ ସାରାପୋଭାଙ୍କ ପରେ ସ୍ୱିଆତେକ ସବୁଠୁ ଯୁବ ମହିଳା ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ କରିଛନ୍ତି । ସେମି ଫାଇନାଲରେ ସ୍ୱିଆତେକ ଦାରିଆ କସାକ୍ତିନାଙ୍କୁ ୬-୨, ୬-୧ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଅନ୍ୟ ପଟେ ଗଫ ପ୍ରଥମ ଥର ଫ୍ରେଂଚ ଓପନରେ କ୍ୱାର୍ଟର ଫାଇନାଲଠୁ ଆଗକୁ ବଢିଛନ୍ତି । ସେ ସେମି ଫାଇନାଲରେ ଇଟାଲୀର ମାର୍ଟିନା ଟ୍ରେଭିସନଙ୍କୁ ୬-୩,୬-୧ ସିଧାସଳଖ ସେଟରେ ହରାଇଥିଲେ । ସେ ବିଶ୍ୱ ଟେନିସ ମାନ୍ୟତାରେ ୨୩ମ ସ୍ଥାନରେ ରହିଛନ୍ତି । ଏଥିସହ ୧୮ ବର୍ଷୀୟ କୋକୋ ଗଫ ସବୁଠୁ ଅଳ୍ପ ବୟସରେ ଫ୍ରେଂଚ ଓପନ ଫାଇନାଲ ଖେଳିବାର ରେକର୍ଡ କରିଛନ୍ତି ।