ଆବଶ୍ୟକ ନଥିଲେ ଅଭିଯୁକ୍ତଙ୍କୁ ଗିରଫ କରନାହିଁ : କାରାଗାରରେ କଏଦୀଙ୍କ ଭିଡ ନକରିବାକୁ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲ୍ଗୁଡିକରେ ଭିଡ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲ କହିଛନ୍ତି ଯେ ଜଣେ ଯଦି ଅତିକମରେ ସାତବର୍ଷରୁ କମ୍ ଜେଲ ଦଣ୍ଡରେ ଦଣ୍ଡିତ ହୋଇନାହାନ୍ତି ତେବେ ଆବଶ୍ୟକ ନଥିଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବା ଉଚିତ । ଏଥିସହିତ କାରଗାର ଅନ୍ତେବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେବାକୁ ସର୍ବୋଚ୍ଚ ଅଦାଲତ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେର୍ଶ ଦେଇଛନ୍ତି ।
ସେହିପରି ସ୍ୱାସ୍ଥ୍ୟଗତ ବିପଦ ରହିଥିବା ବନ୍ଦୀମାନଙ୍କୁ ତୁରନ୍ତ ଚିହ୍ନଟ କରି ଜରୁରୀକାଳୀନ ଭିତ୍ତିରେ ସେମାନଙ୍କୁ ମୁକ୍ତ କରିବା ଦିଗରେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି । ଗତବର୍ଷ ଯେଉଁ ବନ୍ଦୀମାନଙ୍କୁ ପାରୋଲ ଅନୁମୋଦନ କରାଯାଇଥିଲା, ଚଳିତ ମହାମାରୀକୁ ଦୃଷ୍ଟିରେ ରଖି ସେମାନଙ୍କ ପାରୋଲ ଅବଧି ଆଉ ୯୦ ଦିନ ବୃଦ୍ଧି କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଭାରତ ସମେତ ଅନେକ ରାଷ୍ଟ୍ରରେ କାରାଗାରଗୁଡିକରେ ଅଧିକ ସଂଖ୍ୟାରେ ବନ୍ଦୀ ରହିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । କାରାଗାର ମଧ୍ୟରେ ଥିବା ବନ୍ଦୀ ଏବଂ କାରାଗାର କର୍ମଚାରୀମାନଙ୍କର ନିୟମିତ ନମୁନା ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ । ସେଥିପାଇଁ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସର୍ବୋଚ୍ଚ ଅଦାଲତ କାରାଗାରଗୁଡିକର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।