ଆଜି ଆସାମରେ ବିଜେପି ବିଧାୟକ ଦଳର ବୈଠକ, ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାମ !
ନୂଆଦିଲ୍ଲୀ : ଆସାମ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଭାରତୀୟ ଜନତା ପାର୍ଟି ରବିବାର ସରକାର ଗଢ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରିବ । ବିଜେପି ପ୍ରତିନିଧି ମଣ୍ଡଳ ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବ । କିନ୍ତୁ ଏହା ପୂର୍ବରୁ ପୂର୍ବାହ୍ନ ୧୧ଟା ୩୦ରେ ବିଧାୟକ ଦଳର ବୈଠକ ହେବ । ଗୁଆହାଟୀରେ ହେବାକୁ ଥିବା ଏହି ବୈଠକ ପରେ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ସ୍ପଷ୍ଟ ହୋଇଯିବ ।
ଆସାମର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଚର୍ଚ୍ଚା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘର ଶନିବାର ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା, ସର୍ବାନନ୍ଦ ସୋନୋୱାଲ, ହେମନ୍ତ ବିଶ୍ୱ ସର୍ମା ମଧ୍ୟ ଉପସ୍ଥିତ ଥିଲେ । ଏବେ ରବିବାର ଗୁଆହାଟୀରେ ବିଜେପି ବିଧାୟକ ଦଳର ବୈଠକ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ । ସୂଚନା ଯେ, ଗତ ୨ ତାରିଖରେ ଆସାମ ବିଧାନସଭା ନିର୍ବାଚନର ଫଳାଫଳ ବାହାରିଥିଲା । ଏହି ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳକୁ ୭୫ଟି ଆସନରେ ବିଜୟ ହାସଲ ହୋଇଥିଲା । ବିରୋଧୀ ଦଳ ୩୦ଟି ଆସନରେ ବିଜୟୀ ହୋଇଥିଲା । ବିରୋଧୀ ଦଳରେ କଂଗ୍ରେସ, ଏଆଇୟୁଡିଏଫ ଏବଂ ଅନ୍ୟ ୮ଟି ଦଳ ଅଛନ୍ତି । ଏହା ବ୍ୟତୀତ ନବଗଠିତ ପାର୍ଟି ରାଇଜୋର ଦଳର ସଭାପତି ଅଖିଳ ଗୋଗୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ । ଆସାମ ମୁଖ୍ୟମନ୍ତ୍ରୀକୁ ନେଇ ସର୍ବାନନ୍ଦ ସୋନୋୱାଲ ଏବଂ ହେମନ୍ତ ବିଶ୍ୱ ସର୍ମାଙ୍କ ନାଁ ଚର୍ଚ୍ଚାରେ ରହିଛି ।