ଆଇପିଏଲରୁ ଅବସର ନେଉ ନାହାନ୍ତି ରାୟୁଡୁ : ସିଏସକେ
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଜ୍ୟଜନକ ପ୍ରଦର୍ଶନ କରି ପ୍ଲେ ଅଫରୁ ବାଦ୍ ପଡି ସାରିଛି। ଏହା ମଧ୍ୟରେ ଶନିବାର ଦଳର ତାରକା ବ୍ୟାଟସମ୍ୟାନ ଅମ୍ବାତି ରାୟୁଡୁ ଟୁଇଟ୍ କରି ଆଇପିଏଲରୁ ଅବସର ନେଉଥିବା ଘୋଷଣା କରିଥିଲେ। ହେଲେ ପରେ ଟୁଇଟ୍କୁ ହଟାଇ ଦେଇଥିଲେ। ଏହା ଦେଖି ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ଯେ, କଣ ସତରେ ଅମ୍ବାତି ରାୟୁଡୁ ଆଇପିଏଲରୁ ସନ୍ନ୍ୟାନ ନେଇଗଲେ। ଏହା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ ସ୍ପଷ୍ଟ କରିଛନ୍ତି ଯେ, ରାୟୁଡୁ ଆଇପିଏଲରୁ ଅବସର ନେଉ ନାହାନ୍ତି।
ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କହିଛନ୍ତି ଯେ, ଏହା ଭୁଲ୍ ଖବର। ରାୟୁଡୁ ସଂପ୍ରତି ଆଇପିଏଲରୁ ଅବସର ନେଉ ନାହାନ୍ତି। ଆମେ ସେଥିପାଇଁ ବ୍ୟସ୍ତ ନାହୁଁ। ଆଇପିଏଲ ୨୦୨୩ରେ କଣ ରାୟୁଡୁ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିବେ ? ଏହାର ଉତ୍ତରରେ ବିଶ୍ଵନାଥନ କହିଛନ୍ତି, ଅବଶ୍ୟ ରାୟୁଡୁ ବର୍ତ୍ତମାନ ଆଇପିଏଲରୁ ଅବସର ନେଉ ନାହାନ୍ତି। ଚଳିତ ଆଇପିଏଲରେ ଅମ୍ବାତି ରାୟୁଡୁ ୧୨ଟି ମ୍ୟାଚରୁ ୨୭୧ ରନ କରିଛନ୍ତି। ଆଇପିଏଲ ୨୦୨୧ରେ ରାୟୁଡୁ ୧୬ଟି ମ୍ୟାଚରୁ ମାତ୍ର ୨୫୭ ରନ କରିଥିଲେ। ତେବେ ଚେନ୍ନାଇ ଉକ୍ତ ସିଜିନରେ ଚାମ୍ପିଅନ ହୋଇଥିଲା। ୨୦୧୮ରେ ସେ ୬୦୨ ରନ କରି ଦଳ ପକ୍ଷରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ଥିଲେ। ଆଇପିଏଲ ୨୦୧୮ ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ରାୟୁଡୁଙ୍କୁ ୨.୨ କୋଟି ଟଙ୍କାରେ କିଣିଥିଲା। ଦଳ ବିଜୟରେ ରାୟୁଡୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେଣୁ ଫ୍ରାଞ୍ଚାଇଜି ୩୬ ବର୍ଷୀୟ ଏହି ଖେଳାଳିଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଥିଲା। ଚଳିତ ବର୍ଷ ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ରାୟୁଡୁଙ୍କୁ ୬.୭୫ କୋଟି ଟଙ୍କାରେ କିଣିଥିଲା।
ସୂଚନାଯୋଗ୍ୟ, ଶନିବାର ଅମ୍ବାତି ରାୟୁଡୁ ଟୁଇଟ୍ କରି ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଥିଲେ। ସେ ଲେଖିଥିଲେ, ଚଳିତ ସିଜିନ ତାଙ୍କର ଶେଷ ସିଜିନ୍ ହେବ । ଲିଗରେ ଖେଳିବା ତାଙ୍କ ପାଇଁ ଗର୍ବର ବିଷୟ । ସେ ୧୩ ବର୍ଷ ହେଲା ଦୁଇଟି ବଡ ଟିମ୍ ସହ ସାମିଲ ରହିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ ହେବା ବହୁତ ଖାସ୍ । ଅବସର ଘୋଷଣା କରି ସେ ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି । ହେଲେ ଏହାର କିଛି ସମୟ ପରେ ଉକ୍ତ ଟୁଇଟ୍କୁ ଡିଲିଟ୍ କରି ଦେଇଥିଲେ।