ବ୍ରାହ୍ମଣୀର ଭାସିଗଲେ ୩ ଛାତ୍ର: ୨ ଉଦ୍ଧାର, ଜଣେ ନିଖୋଜ

ଢେଙ୍କାନାଳ: ଗଁଦିଆ ଥାନା ଉର୍ଣ୍ଣେକୋଟିଶ୍ୱର ନିକଟରେ ଏକ ଅଘଟଣ ଘଟିଯାଇଛି । ରବିବାର ବ୍ରାହ୍ମଣୀ ନଦୀରେ ୩ଜଣ ନବମ ଶ୍ରେଣୀର ଛାତ୍ର ଗାଧୋଉ ଥିବାବେଳେ ପାଣିର ସୁଅ ମୁହଁରେ ପଡି ଭାସିଯାଇ ଥିଲେ । ଭାସିଯାଉ ଥିବାବେଳେ ନିକଟରେ ଥିବା ଲୋକମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ନିଖୋଜ ଅଛନ୍ତି । ରବିବାର ଥିବାରୁ ସେମାନେ ସାଂଗ ହୋଇ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଘବଟଣାସ୍ଥଳରେ ଗଁଦିଆ ପୁଲିସ ପହଂଚିବା ସହିତ ଅଗ୍ନିଶ୍ରମ ବିଭାଗ ପହଂଚି ଖୋଜା ଖୋଜି ଚଳାଇଛି ।
ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମ ନିକଟସ୍ଥ ବାଲି ପଡା ବ୍ରାହ୍ମଣୀ ଘାଟରେ ଘଟିଛି ଏହି ଅଘଟଣ । ନଦୀରେ ନିଖୋଜ ଥିବା ଛାତ୍ର ଜଣଙ୍କ ନୂଆପଡା ଗ୍ରାମର ସୁଧାବିନ୍ଦୁ ବେହେରା ଓ ନବମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ତେବେ ନୂଆପଡାର ମୁନା ସାହୁ ଓ ସୁଭମ ଜେନା ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବାବେଳେ ଉଭୟ ସୁସ୍ଥ ତଥା ସୁରକ୍ଷିତ ଅଛନ୍ତି । ସମସ୍ତ ୩ଜଣ ସାଙ୍ଗ ସ୍ଥାନୀୟ ରାଧାଦେଇପୁର ଉଚ୍ଚ ବିଦ୍ୟାଳୟର ଛାତ୍ର । ଆଜି ମଧ୍ୟାହ୍ନରେ ତିନିଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ନଦୀର ଗଣ୍ଡରେ ପଡିଯିବାରୁ ସୁଧାବିନ୍ଦୁ ଆଉ ବାହାରି ପାରିନଥିଲେ। ଫଳରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସାଥିରେ ଥିବା ଅନ୍ୟ ଦୁଇଜଣ ସାଙ୍ଗ ମୁନା ସାହୁ ଓ ଶୁଭମ ଜେନା ପାଟି କରିବାରୁ ନଦୀ ଘଟ ପାଖରେ ଥିବା ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଖବର ପାଇ ଅଗ୍ନିଶ୍ରମ ବାହିନୀ ପହଂଚି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଥିବା ଜଣାପଡିଛି ।