ବାଲେଶ୍ୱର : ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୋଗରାଇ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଭବେଶ କୁମାର ନାୟକ ୨୦୨୧-୨୨ ଆର୍ଥିକ ବର୍ଷରେ ୟାସ୍ ବାତ୍ୟା, କୋଭିଡ୍, ବଜ୍ରପାତ, ସାପ କାମୁଡ଼ା ପ୍ରଭୃତି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତି, ହୋଇଥିବା କ୍ଷୟକ୍ଷତି ଓ ପ୍ରଦାନ କରାଯାଇଥିବା କ୍ଷତିପୂରଣ ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ । ଏହା ପରେ ଆଗାମୀ ବର୍ଷା ଋତୁ ଓ ମୌସୁମୀକୁ ଆଖି ଆଗରେ ରଖି ଜିଲାକୁ କିପରି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରାଯାଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ଦୁର୍ବଳ ନଦୀବନ୍ଧ ଚିହ୍ନଟ ଏବଂ ମରାମତି, ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥାର ସୁପରିଚାଳନା, କେନାଲ ମରାମତି ପ୍ରଭୃତି ଉପରେ ସାଂସଦ, ବିଧାୟକଙ୍କ ସମେତ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତାମତ ରଖିଥିଲେ । ବନ୍ୟାଜଳ ଅବାଧରେ ଯେପରି ନିଷ୍କାସନ ହୋଇପାରିବ ସେଥିପାଇଁ ଆଗୁଆ ପଦକ୍ଷେପ ନେବା ସହ ବନ୍ୟାପ୍ରବଣ ଜାଗାରେ ବାଲିବସ୍ତା ପକାଇବାକୁ ଜଳସେଚନ ବିଭାଗ ଓ ଡ୍ରେନେଜ ବିଭାଗକୁ କୁହାଯାଇଥିଲା । ଯେଉଁ ସବୁ ସ୍ଥାନରେ ପଥର ପ୍ୟାଚିଂ କାମ ଚାଲିଛି ତାହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଗୃହରେ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ କୌଣସି ଟାଳଟୁଳ ନୀତି ଅବଲମ୍ବନ ନ କରି ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ମାନ୍ୟବର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଜୋର୍ ଦେଇଥିଲେ । ବୃଷ୍ଟିପାତର ସଠିକ୍ ମାପ ସହ ନିୟମିତ ରିପୋର୍ଟ ପ୍ରଦାନ ପାଇଁ ବିଡିଓମାନଙ୍କୁ କୁହାଯାଇଥିଲା । ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ପ୍ରଦାନ ପାଇଁ ସମ୍ପୃକ୍ତ ବ୍ଲକର ବିଡିଓ ଓ ତହସିଲଦାର ମାନଙ୍କୁ ଜୋନ ଅଧିକାରୀ-୧ ଓ ଜୋନ ଅଧିକାରୀ-୨ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସତର୍କ ସୂଚନା ଯେଭଳି ଲୋକଙ୍କ ପାଖରେ ଠିକ୍ ସମୟରେ ପହଞ୍ôଚ ପାରିବ ତାହାର ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଓ ମୋବାଇଲ ସେବା ଯେଭଳି ଠପ୍ ପଡ଼ି ନ ଯାଏ ତା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ଜିଲାର ବିଭିନ୍ନ ବନ୍ୟାପ୍ରବଣ ସ୍ଥାନରେ ଏବେ ୩୭ଟି ସରକାରୀ ପାୱାର୍ ବୋଟ୍ ମୁତୟନ ହୋଇଥିବା ବେଳେ ଘରୋଇ ଦେଶୀ ଓ ମୋଟର ବୋଟ ସମ୍ବନ୍ଧରେ ସୂଚନା ବିଭାଗୀୟ ଅଧିକାରୀ ଆସନ୍ତା ମେ ୩୧ତାରିଖ ସୁଦ୍ଧା ଜିଲା କାର୍ଯ୍ୟାଳୟକୁ ଜଣାଇବେ । ଜିଲା ଜରୁରୀକାଳୀନ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରିବ । ବର୍ତ୍ତମାନ ଜିଲାରେ ୧୧୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ୨୮ଟି ବନ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି । ସେଗୁଡିକରେ ଆବଶ୍ୟକ ସରଞ୍ଜାମ ରହିଛି କି ନାହିଁ ତାହାର ମିଳିତ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି । ଯେଉଁସବୁ ଆଶ୍ରୟସ୍ଥଳୀରେ ବିଦ୍ୟୁତ ବ୍ୟବସ୍ଥା ନାହିଁ ସେଠାରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦେବାକୁ କୁହାଯାଇଛି । ଆବଶ୍ୟକସ୍ଥଳେ ଅନ୍ୟାନ୍ୟ ସୁରକ୍ଷିତ ପକ୍କା ଗୃହକୁ ମଧ୍ୟ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ଚିହ୍ନଟ କରାଯାଇଛି । ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଭିଏଚଏଫ୍ ସେଟ୍ ଉପଲବ୍ଧ ଥିବା ବେଳେ ତାହାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ବିଡିଓମାନଙ୍କୁ କୁହାଯାଇଛି । ଜିଲାରେ ଯଥେଷ୍ଟ ପରିମାଣରେ ପଲିଥିନ୍, ଶୁଖିଲା ଖାଦ୍ୟସାମଗ୍ରୀ, ଚୂଡ଼ା, ଗୁଡ଼, କିରାସିନି ଇତ୍ୟାଦ ମହଜୁଦ୍ ରଖିବାକୁ ବିଡିଓ, ତହସିଲଦାର ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିପର୍ଯ୍ୟୟ ସମୟରେ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ଔଷଧ, ଔଷଧ କିଟ, କର୍ମଚାରୀଙ୍କୁ ସଜାଗ ରଖିବା ସହ ସାପକାମୁଡା ଇଞ୍ଜେକସନ, ହଇଜା ଓ ମ୍ୟାଲେରିଆ ମୁକାବିଲା ପାଇଁ ଓଆର୍ଏସ୍, ହେଲୋଜିନ, ବ୍ଲିଚିଂ, ଥଣ୍ଡା, କାଶ ଭଳି ରୋଗ ପାଇଁ ଔଷଧ ଆଗୁଆ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ରରେ ମହଜୁଦ ରଖିବାକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି । ଜିଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଖରାଦିନ ପାଇଁ ନଳକୂପ ମରାମତି ସହ ପ୍ରସ୍ତାବିତ ନୂତନ ନଳକୂପ କାମ ତୁରନ୍ତ ଆରମ୍ଭ କରିବା ଏବଂ ଜଳକ୍ଳିଷ୍ଟ ସ୍ଥାନମାନଙ୍କ ପାଇଁ ଟ୍ୟାଙ୍କରରେ ଜଳଯୋଗାଣ ବ୍ୟବସ୍ଥା କରିବା ଏବଂ ବନ୍ୟା, ବାତ୍ୟା ସମୟରେ ଅନୁରୂପ ଭାବେ ପାନୀୟ ଜଳଯୋଗାଣ ସୂଚାରୁ ରୂପେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗ ଗୃହପାଳିତ ଓ ଅନ୍ୟ ପଶୁପକ୍ଷୀଙ୍କ ପାଇଁ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଛି । କୃଷି ବିଭାଗ ତରଫରୁ ସମନ୍ୱିତ ଯୋଜନା ପ୍ରସ୍ତୁତ କରି ବନ୍ୟାବାତ୍ୟା ପ୍ରଭାବିତ କୃଷିର ଭରଣା, ବିହନ ଓ ସାର ଯୋଗାଣ ସହାୟତା ପାଇଁ ପଦକ୍ଷେପ ନେବେ । ରିଲିଫ୍ ଯୋଗାଣ ସମୟରେ ଆବଶ୍ୟକ ଯାନବାହାନ ଯୋଗାଇ ଦେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ କୁହାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ବେଳେ ପୋଲିସ ତରଫରୁ ରିଲିଫ୍ ସାମଗ୍ରୀର ସୁରକ୍ଷା ପାଇଁ ପୋଲିସ ମୁତୟନ କରିବା ସହ ବାଲେଶ୍ୱର ଠାରେ ଓଡ୍ରାଫ ଏବଂ ଏନଡିଆର୍ଏଫ୍ ଟିମ ମୁତୟନ କରିବା ବନ୍ଦୋବସ୍ତ କରାଯିବ । ଏଥିସହିତ ଜିଲାରେ ହେଲିପ୍ୟାଡ ଓ ଏୟାରଷ୍ଟ୍ରିପ ଚିହ୍ନଟ କରି ତାର ସଠିକ ଅବସ୍ଥିତି, ଅକ୍ଷାଂଶ ଓ ଦ୍ରାଘିମା ସୂଚୀତ କରି ରାଜ୍ୟ କାର୍ଯ୍ୟାଳୟକୁ ଜଣାଇବା ଏବଂ ବନ୍ୟାଜନିତ ରିପୋର୍ଟ ନିୟମିତ ଭାବେ ପ୍ରେରଣ କରିବା ପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି । ଜରୁରୀ ପରିସ୍ଥିତିବେଳେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବା ସହ ସେମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ବାତ୍ୟା ସମ୍ପର୍କିତ ସୂଚନା ପାଇଁ ବାଲେଶ୍ୱରରେ ଡପଲାର୍ ରାଡାର୍ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିବା ସହ ଏଥିପାଇଁ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ରାଡାର ପ୍ରତିଷ୍ଠାରେ ବିଳମ୍ବକୁ ନେଇ ଗୃହରେ ଉଦ୍ବେଗ ପ୍ରକାଶ ପାଇଥିଲା । ପାଣିପାଗ ବିଭାଗ ସହ ଯୋଗାଯୋଗ ରକ୍ଷା କରି ଏହା ସ୍ଥାପନ କରିବାକୁ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ କୁନାଲ ଚୌହାନ, ନୀଳଗିରି ଉପ-ଜିଲାପାଳ ଦୀପ୍ତିରଞ୍ଜନ ସେଠୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ପୌରାଞ୍ଚଳ ଅଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀଗଣ, ଅଗ୍ନିଶମ ବିଭାଗ, ଓଡ୍ରାଫ୍, ଏନ୍ଡ଼ିଆରଏଫ୍ର ପ୍ରତିନିଧିଗଣ ଯୋଗ ଦେଇଥିଲେ । ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କୱକବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।