ଆଇପିଏଲ୍-୨୦୨୨ : ଆଜି ଚେନ୍ନାଇ-ବାଙ୍ଗାଲୋର ମୁକାବିଲା

ମୁମ୍ବାଇ : ଆଇପିଏଲ୍-୨୦୨୨ର ୪୯ତମ ଲିଗ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲା ହେବ । ଉଭୟ ଦଳ ନିକଟରେ ପ୍ଲେ-ଅଫ ସୁଯୋଗ ରହିଥିବାରୁ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ସୁପରକିଙ୍ଗସ ୯ଟି ମ୍ୟାଚ୍ ଖେଳି ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଶେଷ ୫ଟି ଯାକ ଲିଗ୍ ମ୍ୟାଚ୍ ଜିତିବାକୁ ହେବ । ସେହିପରି ରୟାଲ୍ ଚ୍ୟାଲେଞ୍ଜର୍ସ ୧୦ଟି ମ୍ୟାଚ୍ ଖେଳି ୫ ବିଜୟ ସହ ମୋଟ୍ ୧୦ ପଏଣ୍ଟ ହାତେଇ ସାରିଛି । ବାକି ୪ଟି ମ୍ୟାଚ୍ ଜିତିଲେ ଦଳର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚି ପାରିବ ।
ସୁପରକିଙ୍ଗ୍ସକୁ ହରାଇବା ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରେ ସହଜ ହେବ ନାହିଁ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସୁପରକିଙ୍ଗ୍ସ ୨୩ ରନରେ ବିଜୟୀ ହୋଇଥିଲା । ଶେଷ ୫ଟି ମ୍ୟାଚରୁ ସୁପରକିଙ୍ଗ୍ସ ୪ଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇଛି । ଦଳର ଓପନିଂ ବିଭାଗ ଫର୍ମକୁ ଫେରିବା ପରେ ସୁପରକିଙ୍ଗ୍ସ ପୂର୍ବ ଲୟ ଫେରି ପାଇବା ଭଳି ମନେ ହେଉଛି । ଗତ ସନରାଇଜର୍ସ ବିପକ୍ଷ ମ୍ୟାଚରେ ଋତୁରାଜ ଗାଏକୱାଡ୍ ଓ ଡେଭନ କନୱେ ଓପନ କରିଥିଲେ । ଗାଏକୱାଡ୍ ୯୯ ସଂଗ୍ରହ କରିଥିଲେ । କନୱେ ମଧ୍ୟ ଅପରାଜିତ ୮୫ରନ୍ର ଇନିଂସ ଖେଳିଥିଲେ ।
ରୟାଲ୍ ଚ୍ୟାଲେଞ୍ଜର୍ସ ଗତ ୧୪ ଦିନ ହେଲା କୌଣସି ମ୍ୟାଚ୍ ଜିତିନାହିଁ । ବ୍ୟାଟିଂ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନଯୋଗୁ ରୟାଲ୍ ଚ୍ୟାଲେଞ୍ଜର୍ସକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବୋଲିଂ ବିଭାଗର ପ୍ରଦର୍ଶନ ଉନ୍ନତ ରହିଛି । ମହମ୍ମଦ ସିରାଜ, ଜୋସ ହାଜେଲଉଡ୍ ଓ ୱାନିଣ୍ଡୁ ହସରଙ୍ଗା ସୁନ୍ଦର ବୋଲିଂ କରୁଛନ୍ତି । କେବଳ ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ । ଅବଶ୍ୟ ଗତ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ଓ ରଜତ ପତିଦର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଆସନ୍ତା କାଲି କୋହଲିଙ୍କ ଉପରେ ନଜର ରହିବ । ସେ କେବଳ ସୁପରକିଙ୍ଗ୍ସ ବିପକ୍ଷରେ ସର୍ବାଧିକ ୯୪୯ ରନ୍ ସଂଗ୍ରହ କରିସାରିଛନ୍ତି । ଆସନ୍ତା କାଲି ସେ ୧୦୦୦ ରନ୍ ପୂରଣ କରିବାର ସୁଯୋଗ ରହିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ୪୬ଟି ଛକା ମାରି ସାରିଛନ୍ତି ।