୪୫ ଡିଗ୍ରୀ ଟପିଲା ତାପମାତ୍ରା, ଟିଟିଲାଗଡ ପାଲଟିଲା ତତଲାଗଡ଼
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଶନିବାର ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରେକର୍ଡ ହୋଇଛି । ଯାହାକି ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ । ସେହିପରି ବୌଦ୍ଧରେ ତାପମାତ୍ରା କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ୪୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ବଲାଙ୍ଗିରରେ ବି ୪୫ ଡିଗ୍ରୀ ତାପମାତ୍ରା ରହିଛି । ଆଜି ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ୯ଟି ସ୍ଥାନରେ ୪୪ ଡିଗ୍ରୀ ଓ ୩ଟି ସ୍ଥାନରେ ୪୫ ଡିଗ୍ରୀ ସେଲସିୟସ ଉପରେ ରହିଛି ।
ରାଜ୍ୟ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ାରେ ୪୪.୯, ସୋନପୁରରେ ୪୪.୭, ଅନୁଗୁଳରେ ୪୪.୫, ସମ୍ବଲପୁରରେ ୪୪.୩, ବରଗଡ଼ରେ ୪୪.୪ ଓ ସୁନ୍ଦରଗଡ଼ରେ ୪୪ , ହିରାକୁଦରେ ୪୩.୫ , ତାଳଚେରରେ ୪୨ .୭ ଡିଗ୍ରୀ ସେଲସିୟସ ରହିଛି । ଗୋପାଳପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩୦.୮ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଜି ତାପମାତ୍ରା ଅପେକ୍ଷାକୃତ କମ୍ ଥିଲେ ମଧ୍ୟ ଗୁଳିଗୁଳି ଅଧିକ ରହିଛି । ଭୁବନେଶ୍ୱରରେ ତାପମାତ୍ରା ୩୭.୮ ଡିଗ୍ରୀ ଓ କଟକରେ ୩୬.୮ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ମେ’ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନର ଦକ୍ଷିଣରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାଫଳରେ ମେ’ ୬ରେ ଏହା ଅବପାତ ଓ ୭ରେ ବାତ୍ୟାର ରୂପ ନେଇପାରେ ।