ଆଇପିଏଲ-୨୦୨୨ : ଲକ୍ଷ୍ନୌକୁ ୧୫୪ ରନ୍ର ଟାର୍ଗେଟ ଦେଲା ପଞ୍ଜାବ
ପୁଣେ: କୌଣସି ବ୍ୟାଟସମ୍ୟାନ ବଡ ଇନିଂସ ଖେଳିବାରେ ବିଫଳ ହେବା କାରଣରୁ ଆଇପିଏଲର ୪୨ତମ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବଡ ସ୍କୋର କରିବାରେ ବିଫଳ ହୋଇଛି। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୩ ରନ କରିଛି। ଦଳ ପକ୍ଷରୁ କ୍ଵିଣ୍ଟନ ଡିକକ୍ ସର୍ବାଧିକ ୪୬ ରନ କରିଥିବା ବେଳେ ଦୀପକ ହୁଡ୍ଡା ୩୪ ରନ କରିଥିଲେ। ପଞ୍ଜାବ ପକ୍ଷରୁ କାଗିସୋ ରାବଡା ୩୮ ରନ ଦେଇ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ରାହୁଲ ଚହର ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଜିତି ପ୍ଲେ ଅଫ ଦୌଡରେ ନିଜର ସ୍ଥାନ ଦୃଢ କରିବା ପାଇଁ ପଞ୍ଜାବ ସମ୍ମୁଖରେ ରହିଛି ୧୫୪ ରନର ବିଜୟ ଲକ୍ଷ୍ୟ।
ପୁଣେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ରାବାଡା ନିଜର ପ୍ରଥମ ଓ ମ୍ୟାଚ୍ର ଦ୍ୱିତୀୟ ଓଭର୍ରେ ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ(୬)ଙ୍କ ୱିକେଟ ଦଖଲ କରିଥିଲେ। ତେବେ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଡ୍ଡା ଓପନର ଡି’କକଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୨ ଓଭର୍ ସୁଦ୍ଧା ଦଳୀୟ ସ୍କୋରକୁ ୯୮ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଏହି ସମୟରେ ସନ୍ଦୀପ ଶର୍ମା ୪୬ ରନ୍ କରିଥିବା ଡି’କକଙ୍କୁ ଆଉଟ କରିଦେଇଥିଲେ। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ନୌର ବିପର୍ଯ୍ୟୟ। ଡି’କକଙ୍କ ପରେ ଭଲ ଲୟରେ ଥିବା ଦୀପକ ହୁଡ୍ଡା(୩୪) ରନ୍ ଆଉଟ ହୋଇଥିଲେ। କୃନାଲ ପାଣ୍ଡ୍ୟା(୭), ଆୟୁଷ ବଦୋନି(୪) ଓ ମାର୍କସ ଷ୍ଟୋଇନିସ(୧) ସମସ୍ତଙ୍କୁ ନରାଶ କରିଥିଲେ। ଏକଦା ୯୮ ରନ୍ରେ ୨ଟି ୱିକେଟ ହରାଇଥିବା ଲକ୍ଷ୍ନୌ ୧୧୧ ବେଳକୁ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଜେସନ ହୋଲ୍ଡର କ୍ରିଜ୍ରେ ଥିବାରୁ ଲକ୍ଷ୍ନୌ ବଡ଼ ସ୍କୋର ଆଶା କରିଥିଲା। କିନ୍ତୁ ସେ ମାତ୍ର ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ରାହୁଲ ଚହର ନେଇଥିଲେ। ୧୮ତମ ଓଭର୍ରେ ଚାମିରା ୨ଟି ଛକା ମାରିବାରୁ ଦଳୀୟ ସ୍କୋର ୧୫୦ର ନିକଟତର ହୋଇଥିଲେ। ସେ ମାତ୍ର ୧୦ ବଲରେ ୧୭ ରନ୍ କରିଥିବା ବେଳେ ରାବାଡାଙ୍କ ୪ର୍ଥ ଶିକାର ବନିଥିଲେ। ଶେଷ ଭାଗରେ ମୋହଶିନ ଖାନ ଅପରାଜିତ ୧୩ ଓ ଆଭେଶ ଖାନ ୨ ରନ୍ କରିବାକୁ ଲକ୍ଷ୍ନୌ କଷ୍ଟମଷ୍ଟେ ୮ ୱିକେଟ ହରାଇ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପକ୍ଷରୁ ରାବାଡା ୪ଟି ୱିକେଟ ନେଇଥିବା ବେଳେ ରାହୁଲ ଚହର ୨ଟି ଓ ସନ୍ଦୀପ ଶର୍ମାଙ୍କ ଖାତାକୁ ଗୋଟିଏ ସଫଳତା ଯାଇଛି।