କଂଗ୍ରେସରେ ସାମିଲ ହେବାକୁ ମନା କଲେ ପିକେ
ନୂଆଦିଲ୍ଲୀ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ଯୋଗଦେବାକୁ ମନା କରିଦେଇଛନ୍ତି । ଏ ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ଟୁଇଟ କରି ସୂଚନା ଦେଇଛନ୍ତି ।
ନିଜ ଟୁଇଟରେ ସେ ଲେଖିଛନ୍ତି, “ପ୍ରଶାନ୍ତ କିଶୋରଙ୍କ ସହ ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ୨୦୨୪ ନିର୍ବାଚନ ପାଇଁ ଏକ କ୍ଷମତାଶାଳୀ କମିଟି ଗଠନ କରିଥିଲେ ଓ କେତେକ ନିର୍ଦ୍ଦିଷ୍ଟ ଦାୟିତ୍ୱ ସହ ସେଥିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ସେ ମନା କରିଦେଇଛନ୍ତି । ଦଳକୁ ସେ ଦେଇଥିବା ପରାମର୍ଶ ପାଇଁ ଦଳ ତାଙ୍କୁ ଧନ୍ୟବାଦ ଦେଉଛି ।“ ଦୁଇ ସପ୍ତାହ ତଳେ ପ୍ରଶାନ୍ତ କିଶୋର ସୋନିଆଙ୍କୁ ଭେଟିବା ସହ ୨୦୨୪ ନିର୍ବାଚନରେ ବିଜୟ ପାଇଁ କେତେକ ପରାମର୍ଶ ଓ ବ୍ଲୁପ୍ରିଂଟ ପ୍ରଦାନ କରିଥିଲେ । ଏହା ପରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସର କେତେକ ସଦସ୍ୟ ପ୍ରଶାନ୍ତଙ୍କ ଯୋଗଦାନକୁ ନେଇ ଆଶାବାଦୀ ଥିବାବେଳେ ଆଉ କେତେକ ତାହାକୁ ବିରୋଧ କରୁଥିବାର ଚର୍ଚ୍ଚା ମଧ୍ୟ ହୋଇଥିଲା । ପ୍ରଶାନ୍ତ କିଶୋରଙ୍କ ବ୍ଲୁପ୍ରିଂଟର ଅଧ୍ୟୟନ ପାଇଁ ସୋନିଆ ଏକ ୮ ଜଣିଆ କମିଟି ଗଠନ କରିଥିଲେ । ଏହା ପରେ ୨୦୨୪ ପାଇଁ ଏକ କ୍ଷମତାସଂପନ୍ନ ଗୋଷ୍ଠୀ ଗଠନ କରାଯାଇଥିଲା । ଦଳର ନିର୍ବାଚନୀ ରଣକୌଶକୁ ସୁଧାରିବା ନିମନ୍ତେ ସାଂଗଠନିକ ସ୍ତରରେ ପରିବର୍ତନ ଉପରେ ଏହି ଗୋଷ୍ଠୀ ବିଚାର କରିବ ।