ଆଜିଠୁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍
- ସକାଳ ୬ରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ
- ଜାରି ରହିବ ଟିକାକରଣ
ଭୁବନେଶ୍ୱର : କୋଭିଡ ସଂକ୍ରମଣ ଲଗାତାର ବଢୁଥିବାରୁ ବୁଧବାର ଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ୧୪ ଦିନିଆ ଲକ୍ ଡାଉନ୍ । ମେ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ । ଘରଠୁ ୫୦୦ମିଟର ଦୂରତା ଭିତରେ ଚାଲି ଚାଲି ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ । ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ବଳବତର ରହିବ । ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ । ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଲକଡାଉନ ସମୟରେ ରବିବାର ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଟିକାକରଣ ଜାରି ରହିବ । ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ । ରାଜ୍ୟ ଭିତରେ ଓ ବାହାରେ ଆମ୍ବୁଲାନଅବାଧରେ ଚଳାଚଳ କରିବ । ବ୍ୟାଙ୍କ ଓ ଏଟିଏମ ସେବା ଜାରି ରହିବ । ଲୋକେ ହୋଟେଲ ବା ରେସ୍ତୋରାଁରେ ବସି ଖାଇ ପାରିବେ ନାହିଁ , କେବଳ ପାର୍ସଲ ନେବାକୁ ଅନୁମତି ଦିଆଯିବ । ଲକଡାଉନ ଓ ସଟଡାଉନ ସମୟରେ ଅନଲାଇନ ଡେଲିଭରୀ ଓ ହୋମ ଡେଲିଭରୀକୁ ଅନୁମତି ରହିଛି । ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ । କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ । କିନ୍ତୁ ଦୋକାନ ମଧ୍ୟରେ ୩୦ଫୁଟ ଦୂରତା ରହିବ । ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ । ସେହିପରି ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ ହେବ । ବୈଦୁତିକ, ମୁଦ୍ରିତ ଏବଂ ୱେବ ମିଡିଆକୁ ଅନୁମତି । ପେଟ୍ରୋଲ ପମ୍ପ ଓ ରୋଷେଇ ଗ୍ୟାସ ଯୋଗାଣକୁ ଅନୁମତି ରହିବା ସହ ସମ୍ପୂର୍ଣ୍ଣ କଟକଣା ମୁକ୍ତ ରହିବ ଚାଷ ସମ୍ପର୍କିତ କାର୍ଯ୍ୟକ୍ରମ । ଇଲେକ୍ଟ୍ରିସିଆନ,ମୋଟର ମେକାନିକ, ପାଇପ ମିସ୍ତ୍ରୀ ସେବା ଯୋଗାଇ ପାରିବୋ ସେହିପରି ଲକଡାଉନ ସମୟରେ ଯାତ୍ରୀବାହୀ ବସ ଚଳାଚଳ ଉପରେ କଟକଣା ରହିବ । ସେହିପରି ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ ଉପରେ କଟକଣା ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟର ବନ୍ଦ ରହିବ । ସିନେମା ହଲ୍, ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ ରହିବ । ବିବାହ କାର୍ଯ୍ୟ ପାଇଁ ସର୍ବାଧିକ ୫୦ଜଣଙ୍କୁ ଓ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୨୦ଜଣଙ୍କୁ ଅନୁମତି ମିଳିବ । ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଉପରେ କଟକଣା ରହିବ । ଯାତ୍ରା, ଅପେରା, ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ । ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା । ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନମାନଙ୍କରେ ଦେବନିତୀ ସ୍ୱଳ୍ପ ସଂଖ୍ୟକ ପୁଜାରୀ ଓ ସେବାୟତଙ୍କୁ ନେଇ କରାଯାଇ ପାରିବ । ଏସବୁ ସ୍ଥାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଧାର୍ମିକ ସମାବେଶକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଅପରପକ୍ଷରେ ଲକ୍ ଡାଉନ୍ ସମୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଗାଇଡ଼୍ ଲାଇନ୍ ଅନୁସାରେ ବ୍ୟାଙ୍କ୍, ଏ.ଟି.ଏମ୍ , ଇନ୍ସ୍ୟୁରାନ୍ସ୍, ଅଣ-ବ୍ୟାଙ୍କିଂ ଆର୍ôଥକ ସଂସ୍ଥା, ଋଣ ସମବାୟ ସମିତି ଆଦି ସେମାନଙ୍କର କାର୍ଯ୍ୟ ଚାଲୁ ରଖିପାରିବେ । ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇନ୍ଟରନେଟ୍ ସେବା, ଡି.ଟି.ଏଚ୍. ସେବା, ଗ୍ୟାସ୍ ବିତରଣ ଓ ପେଟ୍ରୋଲ୍ ପମ୍ପ ଆଦି ଖୋଲା ରହିବ । କୃଷି, ପଶୁପାଳନ, ମତ୍ସ୍ୟଚାଷ ଆଦି କାର୍ଯ୍ୟ ଚାଲୁ ରହିବ ।