୨୪ରେ ଜମ୍ମୁକାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ଜମ୍ମୁ କଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜମ୍ମୁ କଶ୍ମୀର ଗସ୍ତ କରିବେ । ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ୨୦୧୯ ମସିହା ଅଗଷ୍ଟ ମାସରେ ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ବା ଜିଲ୍ଲା ଗସ୍ତର ଦୁଇଦିନ ପୂର୍ବରୁ ଜାମ୍ମୁରେ ବଡଧରଣ ଆତଙ୍କବାଦୀ ଆକ୍ରମଣ ହୋଇଛି । ସକାଳ ସିଫ୍ଟରେ ଯାଉଥିବା ସିଆଇଏସଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ୯ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ବସରେ ୧୫ ଜଣ ସୁରକ୍ଷା କର୍ମୀ ଥିଲେ । ପ୍ରଥମେ ଗ୍ରେନେଡ ମାଡ କରିବା ପରେ ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ । ଅର୍ଦ୍ଧ ସାମରିକ ବାହିନୀର ପାଲଟା ଗୁଳିରେ ୪ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । ଏବେ ବି ସେଠାରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଜାମ୍ମୁ ସୁଞ୍ଜୁଆନ ଜିଲ୍ଲାର ସେନାକ୍ୟାମ୍ପ ନିକଟରେ ଏହି ଗୁଳି ବିନିମୟ ହୋଇଛି । ସେନା କ୍ୟାମ୍ପ ଉପରେ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ଜଣାପଡିଛି । ସିଆଇଏସଏଫ ସହ ଏସଓଜି ଏବଂ ସିଆରପିଏଫ ମିଳିତ ଅପରେସନ ଚଳାଇଛନ୍ତି । ପୂର୍ବରୁ ୨୦୧୮ ଫେବ୍ରୁଆରୀ ୧୦ ତାରିଖରେ ସୁଞ୍ଜୁଆନରେ ଥିବା ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ଜେଇଏମ ଆତଙ୍କବାଦୀ । ଏଥିରେ ୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ସମସ୍ତ ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଯବାନ ।