ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ମ୍ୟାଚ୍ ! ଜୁନ୍ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦
କଟକ : କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷ ପରେ ଓଡ଼ିଶାର ବାରବାଟୀକୁ ଫେରିଲା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ । ଆସନ୍ତା ଜୁନ୍ ୧୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ସିରିଜର ଦ୍ୱିତୀୟ ମ୍ୟାଚଟି ବାରବାଟୀରେ ଖେଳାଯିବ । ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।
ମହାମାରୀ କରୋନା କାରଣରୁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍ ଖେଳାଯାଇ ପାରିନଥିଲା। ଏହି ମ୍ୟାଚ କୋଲକାତା ସ୍ଥାନାନ୍ତର ହୋଇଥିଲା । ଏହା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ଆୟୋଜନସ୍ଥଳ ଘୋଷଣା କରିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀରେ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ଆଇପିଏଲ ୨୦୨୨ ପରେ ଜୁନରେ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ର ଟି-୨୦ ସିରିଜ୍ ପାଞ୍ଚଟି ସ୍ଥାନରେ ଖେଳାଯିବ। ଟି-୨୦ ସିରିଜ୍ କଟକ, ବିଶାଖାପଟ୍ଟନମ, ଦିଲ୍ଲୀ, ରାଜକୋଟ ଏବଂ ଚେନ୍ନାଇରେ ଖେଳାଯିବ। ସୂଚନା ଯେ, ବାରବାଟୀରେ ଫେବୃଆରୀ ୧୫ରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ୍ର ପ୍ରକୋପକୁ ଦୃଷ୍ଟିରେ ରଖି ବିସିସିଆଇ କ୍ରୀଡାସୂଚୀରେ କାଣ୍ଟଛାଣ୍ଟ କରିଥିଲା। ଦିନିକିଆ ଏବଂ ଟି-୨୦ ସିରିଜ୍ ଦୁଇଟି ସହର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏବଂ ଟି-୨୦ ସିରିଜ୍ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିଲା।