ଆଜିଠାରୁ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଶନିବାର ଠାରୁ ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା । ଶନିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀକୁ ଉଦଘାଟନ କରିବେ । ମେଳାରେ କିଣା ବିକା ପାଇଁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ । ଏଥିପାଇଁ ମୋଟ୍ ୧୦୦ଟି ଷ୍ଟଲ କରାଯାଉଥିବାବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ଯୋଗଦେବେ । ତେବେ ସେମାନଙ୍କ ଷ୍ଟଲରେ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ସେହିଭଳି ଏହି ୧୦ଦିନିଆ ମେଳାରେ ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିବାକୁ ଥିବା ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ୱତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ । ଦେଶର ୧୮ଟି ରାଜ୍ୟରୁ ଆସିବାକୁ ଥିବା କଳାକାରମାନେ ଏଠାରେ ସେମାନଙ୍କ କଳାନୈପୂଣ୍ୟ ପ୍ରଦଶର୍ନ ସହିତ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ ।
ତେବେ ଚଳିତବର୍ଷ ଅନୁଷ୍ଠିତ ଆଦିବାସୀ ମେଳାରେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମିଳିବନାହିଁ । ପୂର୍ବବର୍ଷ ଗୁଡିକରେ ଆଦିବାସୀଙ୍କ ଏହି ଖାଦ୍ୟ ବିଶେଷକରି ବାରିପଦାର ମୁଢି ମାଂସ ସତେ ସୁଆଁ ଖିରି ଓ କଟିଂ ବରା ଆଦି ଲୋକଙ୍କୁ ବେଶ୍ ଆକର୍ଷିତ କରୁଥିଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅନୁକୂଲ୍ୟରେ ଆୟୋଜିତ ଏହି ମେଳା ଏପ୍ରିଲ ୨୩ ତାରିଖରୁ ୨ ମଇ ଯାଏଁ ଚାଲିବ ।