ବାଲେଶ୍ୱର ପୌରପାଳିକାକୁ ମହାନଗର ନିଗମ ମାନ୍ୟତା ଦାବି କଲା ଜିଲା କଂଗ୍ରେସ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକାକୁ ମହାନଗର ନିଗମ ମାନ୍ୟତା ଦେବାପାଇଁ ଜିଲା କଂଗ୍ରେସ କମିଟି ଦାବି କରିଛି । ଏହି ପରିପ୍ରେକ୍ଷୀରେ ବୁଧବାର ପୂର୍ବାହ୍ନରେ ଦଳର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପକ୍ଷରୁ ଏକ ଦାବିପତ୍ର ନବନିର୍ବାଚିତ ପୌରାଧ୍ୟକ୍ଷା ସବିତା ସାହୁଙ୍କୁ ପ୍ରଦାନ କରାଯାଇଛି । ଜିଲା ମହିଳା କଂଗ୍ରେସ କମିଟି ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ବିଶ୍ୱାଳଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତା ଓ ସଦସ୍ୟମାନେ ପୌରପାଳିକା କାର୍ଯ୍ୟାଳୟରେ ପହଞ୍ôଚ ଏଭଳି ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ଗ୍ରହଣ କରି ଏ ଦିଗରେ ପାରୁ ପର୍ଯ୍ୟନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ପୌରଧ୍ୟକ୍ଷା ଶ୍ରୀମତୀ ସାହୁ ।
ବାଲେଶ୍ୱର ପୂର୍ବ ଭାରତର ସର୍ବପୁରାତନ ସହର ହୋଇଥିବା ବେଳେ ପ୍ରାଚୀନ କାଳରୁ ଉତ୍ତର ଓଡ଼ିଶାର ଏକ ବାଣିଜ୍ୟିକ କେନ୍ଦ୍ର ଭାବେ ପରଗଣିତ ହୋଇପାରିଛି । ସହରର ଐତିହ୍ୟ ଓ କଳା ସଂସ୍କୃତି ଓଡ଼ିଶାର ଜନସାଧାରଣଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଉତ୍ତର ଓଡ଼ିଶାର ବିକାଶରେ ବାଲେଶ୍ୱର ସହରର ବିକାଶ ପ୍ରମୁଖ ଭୂମିକା ନିର୍ବାହ କରେ । କିନ୍ତୁ ବିଭିନ୍ନ କାରଣରୁ ବାଲେଶ୍ୱର ଆଜି ଅବହେଳିତ । ଇତିମଧ୍ୟରେ ଓଡ଼ିଶାର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସହରକୁ ସରକାର ମହାନଗର ନିଗମରେ ପରିଣତ କରିସାରିଥିଲେ ମଧ୍ୟ ସବୁ ଦୃଷ୍ଟିରୁ ଯୋଗ୍ୟ ବିବେଚିତ ବାଲେଶ୍ୱର ସହର ଅଦ୍ୟାବଧି ମହାନଗର ନିଗମରେ ପରିଣତ ହୋଇପାରି ନାହିଁ । ଏ ଦିଗରେ ପୌରାଧ୍ୟକ୍ଷା ଧ୍ୟାନ ଦେଇ ଏହି ସର୍ବପୁରାତନ ବାଲେଶ୍ୱର ସହରକୁ ଏକ ମହାନଗର ନିଗମରେ ପରିଣତ କରିବା ପାଇଁ ଦଳମତ ନିର୍ବିଶେଷରେ ଉଦ୍ୟମ କରିବେ । ରାଜନୈତିକ ବିଚାରଧାରାରୁ ଉର୍ଦ୍ଧ୍ୱକୁ ଉଠି ସହରର ବିକାଶ ଏବଂ ଜନକଲ୍ୟାଣ ପାଇଁ ପୌରାଧ୍ୟକ୍ଷା ଅନେକ କାର୍ଯ୍ୟକ୍ରମ ହାତକୁ ନେବେ ଓ ସହରବାସୀଙ୍କୁ ଉତ୍ତମ ଓ ନିର୍ମଳ ଶାସନ ଯୋଗାଇ ଦେବେ ବୋଲି ଦଳ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ଅସଗର ଅଲ୍ଲୀ, ଧରମା ନାୟକ, ଜାନୁ ମୁଖୀ, ସାରଥୀ ମହାନ୍ତି, ବାସନ୍ତୀ ସାମଲ, ବିଳାସିନୀ ବେହେରା, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଉପ-ସଭାପତି ଜୀବନ ମହାପାତ୍ର, ନମିତା ମହାନ୍ତି, ସାଧାରଣ ସମ୍ପାଦକ ନବପ୍ରସାଦ ଭୂୟାଁ, ସାଧାରଣ ସମ୍ପାଦକ ଜ୍ୟୋତିଶଙ୍କର ପ୍ରମୁଖ ଉପସ୍ଥିତ ରହିଥିଲେ ।