‘ଜରି ଗୋଟାଇବା ଝିଅ’ର ୨୫ତମ ଜନ୍ମଦିନ ପାଳିତ
ବାଲେଶ୍ୱର : ବାଲେଶ୍ୱର ସହର ପାଣିଟାଙ୍କି ସ୍ଥିତ ଆତିଥ୍ୟ ସମ୍ମିଳନୀ କକ୍ଷରେ ସମାଜର ସାଧାରଣ ଦୁଃଖୀ ମଣିଷଙ୍କୁ ସମର୍ପିତ ପ୍ରଶାନ୍ତ ଦାସଙ୍କ କବିତା ପୁସ୍ତକ ‘ଜରି ଗୋଟାଇବା ଝିଅ’ର ୨୫ତମ ଜନ୍ମଦିନ ପାଳିତ ହୋଇଛି । ନିଜ ଜୀବନ ସହ ଅପର ଜୀବନର ସୁଖଦୁଃଖ ବାଣ୍ଟିବା ହିଁ ଜୀବନର ସନ୍ତୋଷତା ଓ କରୁଣାସିକ୍ତ ଭାବନା ବିନା ସେବାରେ ନଥାଏ ଜୀବନର ଆନନ୍ଦ । ଜରି ଗୋଟାଇବା ଝିଅ କେବଳ ଗୋଟିଏ ପୁସ୍ତକ ନୁହେଁ ବରଂ ସମାଜର ଅବହେଳିତ ଓ ନିଷ୍ପେସିତ ମଣିଷଙ୍କର ଦୁଃଖର ଦର୍ପଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ପ୍ରାରମ୍ଭରେ କବି ପ୍ରଶାନ୍ତ ଦାସ ଜନ୍ମଦିନ ଉତ୍ସବକୁ ପରିଚାଳନା କରି ଜରି ଗୋଟାଇବା ଝିଅ ଜନ୍ମଦିନ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅତିଥି ଭାବେ ଶିକ୍ଷାବିତ୍ ଓ ହରେକୃଷ୍ଣ ସାହୁ ଯୋଗଦାନ କରି ନିଜର ବକ୍ତବ୍ୟ ରଖିବା ସହ ଏହା ଏକ ସାମାଜିକ ଶ୍ରଦ୍ଧାର ଆନ୍ଦୋଳନ ବୋଲି କହିଥିଲେ । ଚଳିତବର୍ଷ ଏହି ଉତ୍ସବରେ ଜରି ଗୋଟାଇବା ଝିଅର ଅନୁବାଦ ହୋଇଥିବା ହିନ୍ଦୀ, ଇଂରାଜୀ ଓ ଓଡ଼ିଆ କବିତାଗୁଡ଼ିକୁ ନେଇ ଏକ ବହୁ ଭାଷୀ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । କବିତାଗୁଡ଼ିକୁ କେନ୍ଦ୍ରୀୟ ବିଦ୍ୟାଳୟ, ବାଲେଶ୍ୱର ଓ ରେମୁଣାର ଛାତ୍ରୀଛାତ୍ର ମେଘା ପରିଡ଼ା, ହରିପ୍ରିୟା ମିଶ୍ର, ଓମ୍ ପ୍ରକାଶ ପ୍ରଧାନ, ହସଶ୍ରୀ ପରିଡ଼ା, ମନିଷ କୁମାର ସାହୁ ଓ ଅଂଶୁମାନ ବେହେରା ପ୍ରମୁଖ ପାଠ କରିଥିଲେ । ଜରି ଗୋଟାଇବା ଝିଅ ଜନ୍ମଦିନ ସହିତ ଦୀର୍ଘବର୍ଷ ଧରି ଜଡ଼ିତ ଥିବା ଅମୃତାଂଶୁ ପଟ୍ଟନାୟକ, ମୁରଲୀଧର ନାୟକ, ପର୍ଶୁରାମ ପ୍ରଧାନ, ଡା. ଶାନ୍ତନୁ ଦାସ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସତ୍ୟଶିବ ଦାସ, ଶଶୀରଞ୍ଜନ ମଲ୍ଲିକ ଓ ରାଜେଶ ଗିରି ପ୍ରମୁଖ ନିଜ ନିଜର କଥା ରଖିଥିଲେ । ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସ୍ୱେତଲିସା ଶୁଭଦର୍ଶନୀ ଓ ସ୍ୱାଗତ ବକ୍ତବ୍ୟ ରଖିଥିଲେ ବିପ୍ଳବ ଦାସମହାପାତ୍ର । ଶେଷରେ ସରସ୍ୱତୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତବର୍ଷ ଏହା ରୌପ୍ୟଜୟନ୍ତୀ ବର୍ଷ ହୋଇଥିବାରୁ ବର୍ଷସାରା ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ସେବାକୁ ନେଇ ଆଲୋଚନା ଚକ୍ରମାନ ଆୟୋଜନ ପରେ ଉତ୍ସବ ଉଦ୍ଯାପିତ ହେବ ବୋଲି କି ଶ୍ରୀ ଦାସ ସୂଚନା ପ୍ରଦାନ କରିଥିଲେ ।