ନୂଆ କୀର୍ତିମାନ ସହ ଆମ୍ଲା ଓ କୋହଲିଙ୍କୁ ଟପିଲେ ବାବର
ନୂଆଦିଲ୍ଲୀ : ପାକିସ୍ତାନ ଅଧିନାୟକ ବାବର ଆଜମ ତିନି ଦିନ ମଧ୍ୟରେ ଦୁଇଟି କୀର୍ତିମାନ ପ୍ରତିଷ୍ଠା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାର ମଙ୍ଗଳବାର ପ୍ରଥମ ମ୍ୟାଚ୍ରେ ୫୭ ରନ୍ କରିଥିବା ବାବର ଦିନିକିଆରେ ୪୦୦୦ ରନ୍ କରିବାରେ ଦ୍ରୁତତମ ଏସୀୟ ଖେଳାଳିର ମାଇଲଖୁଂଟ ଛୁଇଁଥିଲେ । ସେ ୮୨ ପାଳିରେ ଏହି ମାଇଲଖୁଂଟ ଛୁଇଁଥିଲା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି (୯୩ ପାଳି), ସୌରଭ ଗାଙ୍ଗୁଲି (୧୦୫ ପାଳି) ଏବଂ ସଚିନ୍ ତେନ୍ଦୁଲକର (୧୧୨ ପାଳି)ଙ୍କୁ ପଛରେ ପକାଇ ଦେଇଥିଲେ । କେବଳ ଦକ୍ଷିଣ ଆଫ୍ରିକାର ହାସିମ ଆମ୍ଲା (୮୧ ପାଳି) ହିଁ ବାବରଙ୍କ ଉପରକୁ ରହିଥିଲେ ।
ଅନ୍ୟପକ୍ଷରେ ଦ୍ରୁତତମ ୪୦୦୦ ରନ୍ରେ ତାଙ୍କ ଉପରେ ରହିଥିବା ଆମ୍ଲାଙ୍କ ଏକ କୀର୍ତିମାନକୁ ବାବର ଗୁରୁବାର ଦ୍ୱିତୀୟ ଦିନିକିଆ ଅବସରରେ ଭାଙ୍ଗି ଦେଇଥିଲେ । ଗୁରୁବାର ମ୍ୟାଚ୍ରେ ସେ ୧୧୪ ରନ୍ର ଶତକୀୟ ପାଳି ଖେଳିଥିଲେ । ଏହା ଥିଲା ତାଙ୍କର ପଂଚଦଶ ଦିନିକିଆ ଶତକ । ଏହାକୁ ମଧ୍ୟ ସେ ୮୩ ପାଳିରେ ହାସଲ କରିଥିଲେ । ଏଥିସହିତ ସେ କମ୍ ପାଳିରେ ୧୫ ଶତକ ଜମାଇବାର ଦ୍ରୁତତମ କୀର୍ତିମାନ ରଚିଥିଲେ । ଆମ୍ଲା ୮୬ ପାଳିରୁ ୧୫ ଶତକ ହାସଲ କରିଥିଲା ବେଳେ ବାବର ତାଙ୍କୁ ପଛରେ ପକାଇ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୧୫ ଶତକ ହାସଲ କରିବାକୁ କୋହଲି ୧୦୬ ପାଳି ଖେଳିଥିଲା ବେଳେ ଡେଭିଡ୍ ୱର୍ଣ୍ଣର ୧୦୮ ଏବଂ ଅନ୍ୟତମ ଭାରତୀୟ ଶିଖର ଧାୱନ ସମାନ ୧୦୮ ପାଳି ଖେଳିଥିଲେ ।