ବିଧାନସଭାରେ ବ୍ୟୟମଂଜୁରୀ ବିଲ ପାରିତ
ଭୁବନେଶ୍ୱର : ଗୁରୁବାର ଦିନ ବିଧାନସଭାରେ ଦୀର୍ଘ ସମୟ ଧରି ଆଲୋଚନା ପରେ -ବିଧାନସଭାରେ ୨୦୨୨-୨୩ ଆର୍ôଥକ ବର୍ଷ ଲାଗି ବ୍ୟୟ ମଂଜୁରୀ ବିଲ୍ ପାରିତ ହୋଇଛି । -ଆସନ୍ତା ୪ ମାସ ଲାଗି ୧ ଲକ୍ଷ ୬ ହଜାର କୋଟି ଟଙ୍କାର ଲେଖାନୁଦାନକୁ ଅନୁମୋଦନ ମିଳିଛି । ବ୍ୟୟମଂଜୁରୀ ବିଲ ଆଲୋଚନା ବେଳେ ବିରୋଧୀ ଦଳର ବିଧାୟକ ମାନେ ବଜେଟକୁ ଦିଶାହୀନ ବୋଲି କହି ବିରୋଧ କରିଥିବା ବେଳେ ଶାସକ ଦଳର ବିଧାୟକ ମାନେ ବଜେଟକୁ ସମର୍ଥନ କରି ତର୍କ ମାନ ଦେଇଥିବା ଦେଖିବାକୁ ମିଳିଥିଲା ।
ଗୁରୁବାର ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇଥିଲା । ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁଙ୍କୁ ତାଙ୍କ ବିଭାଗର କିଛି କାଗଜ ଉପସ୍ଥାପନ କରିବାକୁ କହିଥିଲେ । ତଦନୁଯାୟୀ ଡ ସାହୁ କିଛି କାଗଜ ଗୃହରେ ଉପସ୍ଥାପନା କରିଥିଲେ । ଏହା ପରେ ବାଚସ୍ପତି ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀଙ୍କୁ ସିଏଜି ରିପୋର୍ଟ ଉପସ୍ଥାପନ କରିବାକୁ କହିଥିଲେ । ଶ୍ରୀ ପୁଜାରୀ ସିଏଜି ରିପୋର୍ଟ ଉପସ୍ଥାପନା କରିବା ପରେ ପାରିତ କରିବାକୁ ଓଡିଶା ବିନିୟୋଗ (ଲେଖାନୁଦାନ)୨୦୨୨ ଉପସ୍ଥାପିତ କରିଥିଲେ । ଏହା ପରେ ଏହା ଉପରେ ଆଲୋଚନା ଆରମ୍ଭ ହୋଇଥିଲା ।
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଆଲୋଚନାକୁ ଆରମ୍ଭ କରି ଏହି ବିଲକୁ ବିରୋଧ କରିଥିଲେ ଓ ଏଥିରେ କିଛି ନୂତନତ୍ୱ ନାହିଁ ବୋଲି କହିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରି ଏହାର ବିରୋଧରେ ତର୍କ ଦେଇଥିଲେ । ଏହା ପରେ ବିରୋଧୀ ଦଳ ଓ ଶାସକ ଦଳର ବିଧାୟକ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିବା ପରେ ବିନିୟୋଗ ବିଲ ପାରିତ ହୋଇଥିଲା ।